Australian Open: ପୁରୁଷ ସିଙ୍ଗଲ୍ସରେ ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ ବଡ଼ ସଫଳତା ହାସଲ କଲେ ଭାରତୀୟ ଟେନିସ୍ ଷ୍ଟାର
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ ଇତିହାସ ରଚିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଥର ଭାରତ ପାଇଁ ସୁମିତ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ଶାନଦାର ପ୍ରଦର୍ଶନ କରିଛନ୍ତି ସୁମିତ । ପ୍ରଥମ ଥର ଜଣେ ଭାରତୀୟ ପୁରୁଷ ଟେନିସ ଖେଳାଳି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମରେ ଜଣେ ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ।
ସୁମିତଙ୍କର ଏଟିପି ରାଙ୍କିଂ ୧୩୭ ରହିଥିବା ବେଳେ ସେ ୩୧ ନମ୍ବର ରାଙ୍କିଂ ପ୍ରାପ୍ତ ସିଡ୍ ଆଲେକଜାଣ୍ଡାର ବୁବ୍ଲିକଙ୍କୁ ୬-୪, ୬-୨, ୭-୬(୫) ସେଟରେ ପରାସ୍ତ କରିଥିଲେ । ପ୍ରଥମ ଦୁଇ ସେଟରେ ସୁମିତ ଆଗରେ ରହିଥିବା ବେଳେ ତୃତୀୟ ସେଟରେ ମଧ୍ୟ ଶାନଦାର ପ୍ରଦର୍ଶନ କରିଥିଲେ । ୧୯୮୯ ମସିହା ପରେ ପ୍ରଥମ ଥର ଜଣେ ଭାରତୀୟ ଖେଳାଳି ସିଙ୍ଗଲ୍ସ ଇଭେଣ୍ଟରେ କୌଣସି ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ଏହା ପୂର୍ବରୁ ରମେଶ କୃଷ୍ଣନ ଏପରି ସଫଳତା ହାସଲ କରିଥିଲେ ।
ସୁମିତ ବୁବ୍ଲିକଙ୍କୁ ସିଧାସଳଖ ଭାବେ ପରାସ୍ତ ପରି କ୍ୟାରିୟରରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । କ୍ୱାଲିଫାୟର ଜରିଆରେ ମୁଖ୍ୟ ଡ୍ରରେ ସ୍ଥାନ ପାଇଥିବା ୨୬ ବର୍ଷୀୟ ସୁମିତ ବିଶ୍ୱର ୨୭ ନମ୍ବର ଖେଳାଳି ବୁବ୍ଲିକଙ୍କୁ ପରାସ୍ତ କରିବା ପାଇଁ ୨ ଘଣ୍ଟା ୩୮ ମିନିଟ୍ ସମୟ ନେଇଥିଲେ । ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହି ମ୍ୟାଚ ଜିତିବା ପରେ ସୁମିତ ବେଶ୍ ଖୁସି ଜାହିର କରିଥିଲେ । ଏହାକୁ ତାଙ୍କର ଐତିହାସିକ ବିଜୟ ବୋଲି କୁହାଯିବ ।