ଭାରତର ଦ୍ୱିତୀୟ ବୃହତ୍ ବିଜୟ: ପ୍ରଥମ ଦିନିକିଆରେ ୨୧୧ ରନରେ ଶୋଚନୀୟ ଭାବେ ହାରିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଟିମ୍ କମାଲ କରିଛି । ପ୍ରଥମ ଦିନିଆରେ ଭାରତ ୨୧୧ ରନରେ ବୃହତ୍ ବିଜୟ ହାସଲ କରିଥିବା ବେଳେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ଏହା ହେଉଛି ଭାରତୀୟ ମହିଳା ଟିମର ଦିନିକିଆରେ ଦ୍ୱିତୀୟ ସର୍ବାଧିକ ବୃହତ୍ ବିଜୟ । ଏହା ପୂର୍ବରୁ ଗତ ୨୦୧୭ ମସିହାରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪୯ ରନର ବୃହତ୍ ବିଜୟ ହାସଲ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୧୪ ରନ୍ ସଂଗ୍ରହ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୦୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ସର୍ବାଧିକ ୯୧ ରନ୍ ସଂଗ୍ରହ କରିଥିବା ବେଳେ ପ୍ରତିକା ରାୱଲ ୪୦, ହରଲୀନ ଦେଓଲ ୪୪ ରନ୍ ସଂଗ୍ରହ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ରେନୁକା ଠାକୁର ସିଂହ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରି ୱେଷ୍ଟଇଣ୍ଡିଜର ବ୍ୟାଟିଂ ଲାଇନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ ।

୩୧୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଦଳର ଦୁଇ ଓପନର ଅଧିନାୟକ ହେଲେ ମାଥ୍ୟୁସ୍ ଓ କିଆନା ଜୋସେଫ ଶୂନରେ ଆଉଟ୍ ହୋଇଥିଲେ । ଦଳ ୩ ରନରେ ୨ଟି ୱିକେଟ ହରାଇ ସଙ୍କରେ ପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ସମସ୍ୟା ଆହୁରି ବଢ଼ିବାରେ ଲାଗିଥିଲା । ଫଳରେ ଦଳ ମାତ୍ର ୧୦୩ ରନରେ ସୀମିତ ରହିଯାଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେଇଦା ଜେମ୍ସ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ହେଁ ତାହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା ।