ବିକ୍ରି ହେଲା ଭାରତର ‘ହଜ୍ ନୋଟ’: ୫୬ ଲକ୍ଷ ଟଙ୍କାରେ ନିଲାମ ହେଲା ଐତିହାସିକ ୧୦୦ ଟଙ୍କିଆ ନୋଟ୍

ଭାରତର ଐତିହାସିକ ହଜ ନୋଟୁକ ୫୬ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ, ହଜ୍ ଯାତ୍ରା ପାଇଁ ଜାରି ହୋଇଥିଲା ଏହି ନୋଟ୍

ନୂଆଦିଲ୍ଲୀ: ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି । ୧୯୫୦ ଦଶକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ୧୦୦ ଟଙ୍କିଆ ଭାରତୀୟ ନୋଟକୁ ‘ହଜ୍ ନୋଟ’ ଭାବେ ଜାରି କରିଥିଲା ।

RBI ଜାରି କରିଥିଲା ଏହି ନୋଟ: ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ‘HA 078400’ । ବିଶେଷ କରି ହଜ୍ ଯାତ୍ରା ପାଇଁ ଗଲ୍ଫ ଦେଶଗୁଡ଼ିକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସେତେବେଳେ ଏହି ନୋଟ୍ ଜାରି ହୋଇଥିଲା । ବେଆଇନ ସୁନା କ୍ରୟ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ନୋଟକୁ RBI ଜାରି କରିଥିଲା ।

ଏହି ଐତିହାସିକ ନୋଟର ପ୍ରିଫେକ୍ସ ‘HA’ ରହିଛି, ଯାହାଫଳରେ ଏହା ଆରବିଆଇ ଦ୍ୱାରା ଜାରି ସ୍ୱତନ୍ତ୍ର ‘ହଜ୍ ନୋଟ’ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏହି ‘ହଜ୍ ନୋଟ’ର ବ୍ୟବହାର ଭାରତରେ ବୈଧ ନ ଥିବା ବେଳେ ସେତେବେଳେ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସ(UAE), କାତାର, ବାହାରିନ୍, କୁଏଟ ଏବଂ ଓମାନ ପରି ଗଲ୍ଫ ଦେଶରେ ବ୍ୟବହାର କରାଯାଉଥିଲା ।

୧୯୭୦ ଦଶକରେ ପ୍ରଚଳନ: ୧୯୬୨ରେ କୁଏଟ ନିଜର ମୁଦ୍ରା ଜାରି କରିବା ପରେ ୧୯୭୦ ଦଶକରେ ‘ହଜ୍ ନୋଟ’ର ପ୍ରଚଳନ ଶେଷ ହୋଇଥିଲା । ସମ୍ପ୍ରତି ମୁଦ୍ରା ସଂଗ୍ରହକାରୀଙ୍କ ମଧ୍ୟରେ ‘ହଜ୍ ନୋଟ’ର ଖୁବ୍ ଚାହିଦା ରହିଛି । ଐତିହାସିକ ଗୁରୁତ୍ୱ ବହନ କରୁଥିବାରୁ କେବଳ ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ ବରଂ ଏହି ନୋଟ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ତେଣୁ ଏତେ ଅଧିକ ମୂଲ୍ୟରେ ଏହି ନୋଟ ବିକ୍ରି ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେହିପରି ଉକ୍ତ ନିଲାମରେ ୧୦ ଟଙ୍କା ମୂଲ୍ୟର ୨ଟି ବିରଳ ପୁରାତନ ଭାରତୀୟ ନୋଟର ମଧ୍ୟ ବିକ୍ରି ହୋଇଥିଲା ।

ସେଥିମଧ୍ୟରୁ ଗୋଟିଏ ୧୦ ଟଙ୍କିଆ ନୋଟ ୬.୯୦ ଲକ୍ଷ ଏବଂ ଅନ୍ୟଟି ୫.୮୯ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି । ୧୯୧୮ ମେ’ ୨୫ରେ ଉଭୟ ନୋଟକୁ ଜାରି କରାଯାଇଥିଲା । ପ୍ରଥମ ବିଶ୍ୱଯୁଦ୍ଧର ଶେଷାର୍ଦ୍ଧରେ ଉକ୍ତ ୨ ନୋଟର ଐତିହାସିକ ଗୁରୁତ୍ୱ ଥିବା ଜଣାଯାଇଛି ।