fbpx

ଆଜି ‘ଜହ୍ନ ଦେହରେ ନାଁ ଲେଖିବ ଭାରତ’ : ଐତିହାସିକ ମୁହୂର୍ତ୍ତକୁ କେଇଟା ଘଣ୍ଟା ବାକି, ଚାଲିଛି ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର କେଇଟା ମୁହୂର୍ତ୍ତ ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ଏହାସହିତ ସଫଳତାର ଶୀର୍ଷ ଛୁଇଁବ ଇସ୍ରୋ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସାରା ପୃଥିବୀର ନଜର ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ । କାରଣ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଜହ୍ନର ଉଜ୍ଜ୍ୱଳ ଚେହେରା ଏହି ଇତିହାସକୁ ଲେଖିବ ଚନ୍ଦ୍ରଯାନ-୩ । ଏହାପରେ ବିଶ୍ୱର ବଡ଼ ବଡ଼ ଦେଶକୁ ପଛରେ ପକାଇ ସ୍ପେସ ଦୁନିଆରେ ରାଜୁତି କରିବ ଭାରତ । ତେଣୁ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଏବେ ଇସ୍ରୋ ଉଦ୍ୟମ ଚଳାଇଛି । ସେପଟେ ସାରା ଭାରତବାସୀ ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ମହାକାଶ ବିଜ୍ଞାନ ଇତିହାସରେ ଇସ୍ରୋର ଏହି ଅଭିଯାନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି ଏବେ ସବୁଠି ଆଲୋଚନା ଜୋର ଧରିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋର ବୈଜ୍ଞାନିକମାନେ ଶତପ୍ରତିଶତ ଆଶାବାଦୀ ରହିଛନ୍ତି । ତେବେ ଯଦି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଇସ୍ରୋ ଏଥିପାଇଁ ପ୍ଲାନ୍-ବି’ ମଧ୍ୟ ପ୍ରସତୁତ କରିନେଇଛି । ଏଭଳି ପରିସ୍ତିତି ସୃଷ୍ଟି ହେଲେ ସଫ୍ଟଲ୍ୟାଣ୍ଡିଂକୁ ସ୍ଥଗିତ ରଖି ଆସନ୍ତା ୨୭ ତାରିଖରେ ସଫ୍ଟଲ୍ୟାଣ୍ଡିଂ କରିବାକୁ ଯୋଜନା କରିଛି ଇସ୍ରୋ । ଏବେ ଏଜେନ୍ସିର ବୈଜ୍ଞାନିକମାନେ ଉଦ୍ୟମ କରି ଚନ୍ଦ୍ରଯାନ-୩ର ପାର୍ଟ୍ସ ଚେକିଂ ସହ ସିଷ୍ଟମ ଭେରିଫିକେସନ ଚଳାଇଛନ୍ତି । ଆଜି ସନ୍ଧ୍ୟା ୦୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖା ଯାଇଥିବା ବେଳେ ରୁଷ, ଆମେରିକା, ଚୀନ ପରେ ଭାରତ ଏହି ଯାତ୍ରାରେ ଚତୁର୍ଥ ସୁପର ପାୱାର ରାଷ୍ଟ୍ର ଭାବେ ବିବେଚିତ ହେବ । ଇସ୍ରୋ ବୈଜ୍ଞାନିକଙ୍କ ଏହି ଐତିହାସିକ ମିଶନ ଉପରେ ସାରା ବିଶ୍ୱର ନଜର ରହିଛି ।

ତେବେ ଅବତରଣ ପୂର୍ବରୁ ଏହାର ଲାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସଫ୍ଟ ଲ୍ୟାଣ୍ଡିଂର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ଯଦି ପ୍ରତିକୂଳ ପରିସ୍ଥିତି ଦେଖା ଦିଏ, ତେବେ ଆସନ୍ତା ୨୭ ତାରିଖରେ ଏହାର ସଫ୍ଟ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ସେପଟେ ଆଜି ଚନ୍ଦ୍ରପୃଷ୍ଠରୁ କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର୍ କ୍ୟାମେରାରେ ରେକର୍ଡ ଭିଡିଓ ଇସ୍ରୋ ସୋସିଆଲ ମିଡିଆରେ ସେୟାର କରିଛି ।

ଏହି ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ସାରା ଦେଶବାସୀ ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ଦିରରେ ଜଳଲାଗି ଭଳି ପୂଜାର୍ଚ୍ଚନା କରୁଛନ୍ତି । ବାରାଣସୀର କାମାକ୍ଷାମନ୍ଦିର, ମୁମ୍ବାଇର ଚନ୍ଦ୍ରମେଡେଶ୍ୱର ମନ୍ଦିର, ପ୍ରୟାଗରାଜ, ଭୋପାଳର ବୈଷ୍ଣୋଧାମ, ଆଦର୍ଶ ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ହୋମଯଜ୍ଞ ଆଦି କରାଯାଉଛି । ସେହିପରି ମୁମ୍ବାଇର ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଚନ୍ଦ୍ରଯାନର ସଫଳତା ପାଇଁ ପୂଜାର୍ଚ୍ଚନା କରାଯାଉଛି । ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ମଠ, ମନ୍ଦିରରେ ଇସ୍ରୋର ଐତିହାସିକ ସଫଳତା ହାସଲ ପାଇଁ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.