ବିନା ସିମ୍ କାର୍ଡ଼ରେ ଚାଲିବ ଇଣ୍ଟରନେଟ୍ ! ଟେକ୍ନୋଲୋଜିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ DTC

ନୂଆଦିଲ୍ଲୀ: ଆମେରିକୀୟ ଆରବପତି ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଡାଇରେକ୍ଟ ଟୁ ସେଲ୍‌(DTC) ନାମକ ଏକ ଟେକ୍ନୋଲୋଜି ପ୍ରସ୍ତୁତ କରିଛି । ଏହା ହେଉଛି ଏକ ଯୋଗାଯୋଗ ପ୍ରଣାଳି ଯାହା ସ୍ମାର୍ଟଫୋନଗୁଡ଼ିକୁ ଉପଗ୍ରହ ସହ ସିଧାସଳଖ ସଂଯୋଗ କରିବାକୁ ଅନୁମତି ଦେଇଥାଏ । ଏହି ଟେକ୍ନୋଲୋଜି ଅନ୍ତର୍ଗତ ଉପଭୋକ୍ତା ବିନା ସିମ୍ କାର୍ଡ଼ କିମ୍ବା ମୋବାଇଲ ଟାୱାରରେ ଟେକ୍ଟ କିମ୍ବା ଭଏସ୍ ମେସେଜ୍ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି । ଏଥିପାଇଁ କୌଣସି ବିଶେଷ ପ୍ରକାର ମୋବାଇଲ ହ୍ୟାଣ୍ଡସେଟ୍ କିମ୍ବା ହାର୍ଡ଼ୱେୟାର ଓ ସଫ୍ଟୱେୟାର ଆବଶ୍ୟକ ହୋଇନଥାଏ । ଏହି ଟେକ୍ନୋଲୋଜି ପାଇଁ ଉପଗ୍ରହରେ ବିଶେଷ eNodeB ମୋଡେମ୍ ବ୍ୟବହାର କରାଯାଇଥାଏ ଯାହା ମୋବାଇଲ ଫୋନ୍ ଟାୱାର ଭଳି କାର୍ଯ୍ୟ କରିଥାଏ । ଫଳରେ ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦୂର କରିବାରେ ସକ୍ଷମ ଅଟେ ।

ଷ୍ଟାରଲିଙ୍କର ଡାଇରେକ୍ଟ ଟୁ ସେଲ୍ ସେବାର ପ୍ରଥମ ସେଟ୍ ଚଳିତ ବର୍ଷ ଜାନୁଆରୀ ୨ରେ ଲଞ୍ଚ୍ କରାଯାଇଥିଲା । ବର୍ତ୍ତମାନ ଏହା ମଧ୍ୟମରେ କେବଳ ଟେକ୍ସଟ ପଠାଯାଇଛି । ଆସନ୍ତାବର୍ଷ(୨୦୨୫)ରେ ଉଭୟ ଟେକ୍ସଟିଂ ଏବଂ କଲିଂ ସହ ଡାଟା ସେବା ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଯିବ । ଡାଇରେକ୍ଟ ଟୁ ସେଲ୍ ଉପଗ୍ରହଙ୍କୁ ପ୍ରାରମ୍ଭରେ ସ୍ପେସ ଏକ୍ସର ଫାଲକନ୍ ୯ ରକେଟ୍ ଏବଂ ଷ୍ଟାରସିପରେ ଲଞ୍ଚ୍ କରାଯିବ । କକ୍ଷପଥରେ ଥିବା ଉପଗ୍ରହଗୁଡ଼ିକ ତୁରନ୍ତ ଷ୍ଟାରଲିଙ୍କ ନକ୍ଷତ୍ର ସହିତ ଲେଜର ବ୍ୟାକ୍‌ହଲ୍ ମାଧ୍ୟମରେ ବିଶ୍ୱ ସଂଯୋଗ ଯୋଗାଇବ । ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଅନେକ ବଡ଼ ବଡ଼ ଦେଶର ଟେଲିକମ୍ ଅପରେଟର୍ସଙ୍କ ସହ ଡାଇରେକ୍ଟ ଟୁ ସେଲ୍ ଟେକ୍ନୋଲୋଜି କାର୍ଯ୍ୟକାରୀ କରିବା ପାଇଁ ଚୁକ୍ତି କରିଛି । ଏହା ଦ୍ୱାରା ୟୁଜର୍ସଙ୍କୁ ମୋବାଇଲ ନେଟୱାର୍କ ସହ ଉପଗ୍ରହ ସଂଯୋଗ ମିଳିପାରିବ । କହିରଖୁଛୁ ଷ୍ଟାରଲିଙ୍କ ଟି-ମୋବାଇଲ (ୟୁଏଏସ୍‌), ଅପଟସ୍‌(ଅଷ୍ଟ୍ରେଲିଆ), ରୋଜର୍ସ(କାନାଡ଼ା), ୱାନ୍ NZ(ନ୍ୟୁଜିଲାଣ୍ଡ), KDDI(ଜାପାନ), ସଲ୍ଟ(ସ୍ୱିଜରଲାଣ୍ଡ), ଏଣ୍ଟେଲ(ଚିଲି) ଏବଂ ଏଣ୍ଟେଲ(ପେରୁ) ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଛି ।

ଷ୍ଟାରଲିଙ୍କର ଡାଇରେକ୍ଟ ଟୁ ସେଲ୍ ଟେକ୍ନୋଲୋଜି ଇଣ୍ଟରନେଟ ଅଫ୍ ଥିଙ୍ଗ୍‌ସ(IoT) କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଲେଖିବ ବୋଲି ଏକ୍ସପର୍ଟ ବିଶ୍ୱାସ କରନ୍ତି । ଏହି ଟେକ୍ନୋଲୋଜି ମାଧ୍ୟମରେ ଏକା ସାଙ୍ଗରେ ଲକ୍ଷ ଲକ୍ଷ ଡିଭାଇସଗୁଡ଼ିକୁ ଉପଗ୍ରହ ସହ ସଂଯୋଗ କରିବାରେ ସାହାଯ୍ୟ କରିବ । ଲଜିଷ୍ଟିକ୍ସ, କୃଷି ଏବଂ ରିମୋଟ ମନିଟରିଂ ସହ ଜରୁରୀକାଳୀନ ପରିସ୍ଥିତିରେ ଅନେକ ଫାଇଦା ଯୋଗାଇବ ।