fbpx

ଆଜି IPL ଟାଇଟଲ୍ ମୁକାବିଲା : ମୁହାଁମୁହିଁ ହେବେ ବିଶ୍ୱ କପ୍ ଜିତିଥିବା ଦୁଇ ଅଧିନାୟକ, କାହାର ହେବ ଟ୍ରଫି ?

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଫାଇନାଲ୍ ମ୍ୟାଚ୍ ଆଜି ତିନି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଦୁଇ ଥରର ବିଜେତ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦୁନିଆର ଦୁଇ ଦିଗଜ ଅଧିନାୟକ । ସିଏସକେର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂହ ଧୋନୀ ତିନି ଆଇପିଏଲ ଟାଇଟଲ ଜିତିବା ସହ ଭାରତ ପାଇଁ ଟି-୨୦ ଏବଂ ଦିନିକିଆ ବିଶ୍ୱ କପ୍ ଜିତି ସାରିଛନ୍ତି । ଅନ୍ୟପଟେ କେକେଆରର ଅଧିନାୟକ ଥିବା ଇଅନ ମୋର୍ଗାନ ୨୦୧୯ରେ ଇଂଲଣ୍ଡକୁ ପ୍ରଥମ ଥର ଦିନିକିଆ ବିଶ୍ୱ କପ୍ ଚାମ୍ପିଅନ କରାଇଛନ୍ତି ।

ଆଇପିଏଲରେ ଉଭୟ ଦଳ ମଧ୍ୟରେ ମୋଟ୍ ୨୪ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଚେନ୍ନାଇର ପଲ୍ଲା ଭାରି ରହିଛି । ଦଳ ୧୬ଟି ଜିତିଥିବା ବେଳେ କେକେଆର ମାତ୍ର ୮ଟି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି । ହେଲେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛି । ଦଳ ଏହି ଫେଜରେ ୯ଟିରୁ ୭ଟି ମ୍ୟାଚରେ ବିଜୟୀ ହୋଇ ପ୍ଲେ ଅଫରେ ପହଞ୍ଚିଥିଲା । ପୁଣି କ୍ୱାଲିଫାୟର-୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କ୍ୱାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦଳ ତୃତୀୟ ଥର ଫାଇନାଲରେ ପହଞ୍ଚିଛି । ଅନ୍ୟପଟେ ଚେନ୍ନାଇ ନବମ ଥର ଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳ ୨୦୧୨ ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ହେଲେ ଏହି ଟାଇଟଲ୍ ମୁକାବିଲାରେ ବାଜି ମାରି ନେଇଥିଲା କୋଲକାତା ।

ଫାଇନାଲରେ କେକେଆରର ପ୍ରଦର୍ଶନ ରହିଛି ଦମଦାର

ଟୁର୍ଣ୍ଣାମେଣ୍ଟର ଗତ ରେକର୍ଡ ଉପରେ ନଜର ପକାଇଲେ ଆଇପିଏଲ ଫାଇନାଲ ମ୍ୟାଚ କେକେଆର ପକ୍ଷରେ ରହିଛି । ଦଳ ଦୁଇ ଥର ୨୦୧୨ ଏବଂ ୨୦୧୪ରେ ଫାଇନାଲ ଖେଳିଥିଲା । ଆଉ ଉଭୟ ଦଳ କୋଲକାତା ଚାମ୍ପିଅନ ହେବାରେ ସଫଳ ହୋଇଛି । ଅର୍ଥାତ ଏହାର ସଫଳତା ହାର ୧୦୦ ପ୍ରତିଶତ ରହିଛି । ।ଅନ୍ୟପଟେ ଚେନ୍ନାଇ ୮ ଥର ଫାଇନାଲ ଖେଳିଥିଲେ ମଧ୍ୟ ୩ ଥର ଜିତିଥିବା ବେଳେ ୫ ଥର ପରାଜୟର ମୁହଁ ଦେଖିବାକୁ ପଡିଛି ।

ଭେଙ୍କଟେଶଙ୍କ ଉପରେ ସଭିଙ୍କ ନଜର

ଫେଜ-୨ରେ କୋଲକାତାର କାୟା ପଲଟିବା ପଛରେ ଯେଉଁ ଖେଳାଳିଙ୍କ ସବୁଠୁ ଅଧିକ ଯୋଗଦାନ ରହିଛି, ସେ ହେଉଛନ୍ତି ଓପନର ଭେଙ୍କଟେଶ ଆୟର । ଫେଜ-୧ରେ ସୁଯୋଗ ପାଇନଥିବା ଏହି ଖେଳାଳିଙ୍କୁ ଫେଜ-୨ରେ ଦଳର ସବୁ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ରହିଛି । ଆୟର ଏହି ସିଜିନରେ ୯ଟି ମ୍ୟାଚରୁ ୪୦ ହାରରେ ୩୨୦ ରନ କରିଛନ୍ତି ।

ରସେଲଙ୍କ ଖେଳିବା ଉପରେ ସସପେନ୍ସ

ଏହି ମ୍ୟାଚରେ କେକେଆରର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଖେଳିବେ କି ନାହିଁ ତାହା ଏବେ ମଧ୍ୟ ସସପେନ୍ସ ରହିଛି । ଏହି ବିଷୟରେ ଦଳ ପ୍ରବନ୍ଧକ ସ୍ପଷ୍ଟ ଭାବେ କିଛି କହି ପାରୁ ନାହାନ୍ତି । ଯଦି ରସେଲ ଖେଳିବେ ନାହିଁ ତେବେ ପୁଣି ଥରେ ବାଂଲାଦେଶ ଅଲରାଉଣ୍ଡର ସାକିବ ଉଲ ହାସନଙ୍କ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବା ନିଶ୍ଚିତ ।

ସମ୍ଭାବିତ ଚୂଡାନ୍ତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍ସ

ଋତୁରାଜ ଗାଏକୱାଡ, ଫାପ ଡୁପ୍ଲେସିସ୍, ରବିନ ଉଥପ୍ପା, ଅମ୍ବତି ରାୟୁଡୁ/ସୁରେଶ ରୈନା, ମହେନ୍ଦ୍ର ସିଂହ ଧୋନୀ(ଅଧିନାୟକ), ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜୋଶ ହେଜେଲଉଡ ।

କୋଲକାତା ନାଇଟ୍ ରାଇଡର୍ସ

ଶୁଭମାନ ଗିଲ୍, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତି, ସାକିବ ଉଲ ହାସନ/ଆନ୍ଦ୍ରେ ରସେଲ, ସୁନିଲ ନାରିନ, ଲୋକି ଫର୍ଗ୍ୟୁସନ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

Get real time updates directly on you device, subscribe now.