fbpx

ଡ୍ରଗ୍ସ-ଆର୍ୟନ ଖାନ-ମହାତ୍ମା ଗାନ୍ଧିଙ୍କୁ ନେଇ ଏଏସଜି ଅନିଲ ସିଂହଙ୍କ ବଡ଼ ବୟାନ୍

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ । ଗତକାଲି ସ୍ୱତନ୍ତ୍ର ଟ୍ରାଏଲ ଜଜ୍ ଏହି ଆଦେଶକୁ ସଂରକ୍ଷଣ କରିଥିଲେ । ତେବେ ଜାମିନ ନ ମିଳିବାରୁ ବର୍ତ୍ତମାନ ଆର୍ୟନଙ୍କୁ ଆର୍ଥର ରୋଡ଼ ଜେଲରେ ରଖାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସ୍ୱତନ୍ତ୍ର ଓକିଲ ଏଏସଜି ଅନିଲ ସିଂହ ଏହି ମାମଲାରେ ନିଜର ମନ୍ତବ୍ୟ ଦେଇଛନ୍ତି । ମହାତ୍ମା ଗାନ୍ଧୀ ଓ ମୁକ୍ତି ଯୋଦ୍ଧାଙ୍କ ବଳିଦାନ ପାଇଁ ସ୍ୱାଧୀନତା ଲାଭ କରି କରିଥିବା ଦେଶରେ ଡ୍ରଗ୍ସକୁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।

ତେବେ ଆର୍ୟନଙ୍କ ସପକ୍ଷରେ ବରିଷ୍ଠ ଓକିଲ ଅମିତ ଦେଶାଇ କୋର୍ଟରେ ନିଜର ଯୁକ୍ତି ଦର୍ଶାଇଛନ୍ତି ଯେ, ସ୍ୱାଧୀନତା, ମୌଳିକ ଅଧିକାର ଓ ଆଇନର ନିୟମ ଆଦି ସ୍ୱାଧୀନତା ସଂଗ୍ରାମର ଏକ ଅଂଶ । ସାମ୍ବିଧାନିକ ନିୟମକୁ ଆଧାର କରି ଗୋଟିଏ ଅଳ୍ପ ବୟସର ଯୁବକଙ୍କୁ ଉଠାଇ ଜେଲ ପଠାଇବା ଉଚିତ ନୁହେଁ । ଆର୍ୟନଙ୍କଠାରୁ କୌଣସି ଡ୍ରଗ୍ ଜବତ କରାଯାଇ ନାହିଁ । ଅଳ୍ପ ପରିମାଣର ଚରସ ଓ ଡ୍ରଗ୍ସକୁ ଅନେକ ଦେଶରେ ଆଇନଗତ ଅନୁମତି ରହିଛି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅବଦୁଲ ଶୈଖ ଓ ମର୍ଚ୍ଚାଣ୍ଟଙ୍କ ସହିତ ଆର୍ୟନଙ୍କ କୌଣସି ସଂପର୍କ ନାହିଁ ବୋଲି ଶ୍ରୀ ଦେଶାଇ କହିଛନ୍ତି । ତେବେ ଏହି ମାମଲାରେ ଆର୍ୟନଙ୍କ ଦୁଇ ବନ୍ଧୁ ଅରବାଜ ମର୍ଚ୍ଚାନ୍ତ (୨୬) ଓ ମୁନମୁନ ଧାମେଚ୍ଛା (୨୮)ଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ସଂରକ୍ଷଣ କରି ରଖିଛନ୍ତି ।

Get real time updates directly on you device, subscribe now.