fbpx

ଜରୁରୀକାଳୀନ ସେବା ପାଇଁ ୧୦୦ ନା ୧୦୧ ଠିକ୍ ? ଦ୍ୱନ୍ଦ୍ୱରେ ଶିକ୍ଷକ, ବିଦ୍ୟାର୍ଥୀ ଓ ଅଭିଭାବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜରୁରୀକାଳୀନ ସେବା ପାଇଁ ବ୍ୟବହାର କରାଯାଉଥିବା ୧୦୦ ଓ ୧୦୧ ନମ୍ବରକୁ ନେଇ ଏବେ ଦ୍ୱନ୍ଦରେ ବିଦ୍ୟାର୍ଥୀ । ଆଉ କାମ କରୁନି ଏହି ନମ୍ବର । କିନ୍ତୁ ସରକାରୀ ଓ କିଛି ବେସରକାରୀ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିବା ‘ଜଣା ଅଜଣା’ ବହିରେ ଏ ନେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଏହାକୁ ନେଇ ଏବେ ଦ୍ୱନ୍ଦରେ ଶିକ୍ଷକ, ବିଦ୍ୟାର୍ଥୀ ଓ ଅଭିଭାବକ ।

ସୂଚନାଯୋଗ୍ୟ, ଡ଼ିସେମ୍ବର ୨ ତାରିଖ, ୨୦୨୦ ମସିହାରେ ଆମ ରାଜ୍ୟରେ ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଜରୁରୀକାଳୀନ ସହାୟତା ନମ୍ବର ଯଥା-୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧କୁ ଏକତ୍ରିତ କରି ଗୋଟିଏ ନମ୍ବର ‘୧୧୨’ କାର୍ଯ୍ୟକାରୀ କରିଛନ୍ତି । ସେ ପୋଲିସ୍ ସେବା ହେଉ କି ଦମକଳ ସେବା ଇତ୍ୟାଦି ହେଉ ।

ଅଦ୍ୟାବଧି ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର କୌଣସି ବିଦ୍ୟାଳୟକୁ ଏ ସମ୍ପର୍କରେ ସାମାନ୍ୟ ସୂଚନାଟିଏ ମଧ୍ୟ ନାହିଁ । ଯଦ୍ୱାରା ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ପଡୁଛନ୍ତି ଦ୍ୱନ୍ଦରେ । ପରୀକ୍ଷାରେ ଏ ସମ୍ପର୍କିତ ପ୍ରଶ୍ନ ଆସିଲେ, ଏ ସମ୍ପର୍କରେ ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ କୁହନ୍ତି ବିଦ୍ୟାର୍ଥୀ ୧୦୦/୧୦୧ ଲେଖିଲେ ଆମେ ନମ୍ବର ଦେଉଛୁ । ୧୧୨ ଲେଖିଲେ ବି ନମ୍ବର ଦେବୁ । ଯେ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ସଂଶୋଧନ ହୋଇ ଆସିନାହିଁ ଆମେ ବା କ’ଣ କରିପାରିବୁ । ଯଦି କୌଣସି ବିଦ୍ୟାର୍ଥୀର ଏ ନେଇ ନମ୍ବର କାଟିଲୁ ଅଭିଭାବକମାନେ ବିଦ୍ୟାଳୟକୁ ଆସି କାହିଁକି ନମ୍ବର କାଟିଲେ କହି ଆମ ସହିତ ଝଗଡ଼ା କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ପାଠ୍ୟପୁସ୍ତକରେ ପାଠ ଦ୍ୱିତୀୟ ଭାଗରେ ଶୃଙ୍ଖଳା ପ୍ରହରୀ ଓ ଦମକଳ କେନ୍ଦ୍ର ନାମରେ ରହିଛି ଦୁଇଟି ପ୍ରସଙ୍ଗ । ପ୍ରଥମ ପ୍ରସଙ୍ଗର ପୃଷ୍ଠା ୨୩ରେ ନାଲି ରଙ୍ଗରେ ଉଲ୍ଲେଖ ରହିଛି ପୋଲିସ୍ ଥାନାର ଟେଲିଫୋନ୍ ନମ୍ବର ହେଲା ୧୦୦ । ସେହିପରି ଦ୍ୱିତୀୟ ପ୍ରସଙ୍ଗର ପୃଷ୍ଠା ୨୬ରେ ରହିଛି ଦମକଳ କେନ୍ଦ୍ରର ଫୋନ୍ ନମ୍ବର ହେଲା ୧୦୧ । ଏ ଦୁଇଟି ନମ୍ବର ଜରୁରୀକାଳୀନ ପୋଲିସ୍ ଓ ଦମକଳ ସେବା ପାଇଁ ଉଦ୍ଦିଷ୍ଟ ବୋଲି ଏହା ହିଁ ଏଠାରେ ଉଲ୍ଲେଖ କରିବାର ଥିଲା ।

ଏବେ ତ ଏକକ ନମ୍ବର ୧୧୨ ସମ୍ପର୍କରେ ନୂତନ ସଂସ୍କରଣରେ ସ୍ଥାନିତ ହେବା ପର୍ଯ୍ୟନ୍ତ, ଅନ୍ତତଃ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପାଠ୍ୟପୁସ୍ତକରେ ରହିଥିବା ଏ ଦ୍ୱନ୍ଦକୁ ଦୂର କରି ବିଦ୍ୟାର୍ଥୀମାନଙ୍କୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ନିର୍ଦ୍ଦେଶନାମା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାରି କରନ୍ତୁ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।

Get real time updates directly on you device, subscribe now.