fbpx

ଅବୈଧ ସମ୍ପର୍କ ରଖିବା ହେବ କି ଅପରାଧ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଅବୈଧ ସମ୍ପର୍କ ରଖିବା ମାମଲାକୁ ପୁଣିଥରେ ଅପରାଧର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ଉଠିଛି । ଏହାର ଏକ ବଡ଼ କାରଣ ମଧ୍ୟ ଦର୍ଶାଯାଇଛି । ଭାରତୀୟ ଜୁଡ଼ିସିଆଲ କୋଡ ସଂସଦୀୟ ପ୍ୟାନେଲ ସରକାରଙ୍କୁ ଏ ନେଇ ପରାମର୍ଶ ଦେଇଛି । ଏହି ବିଲ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେପ୍ଟେମ୍ବରରେ ପାରିତ କରିଥିଲେ । ଅବୈଧ ସମ୍ପର୍କ ସହିତ ହୋମୋସେକ୍ସୁଆଲିଟିକୁ ମଧ୍ୟ ଅପରାଧୀକରଣ କରିବାକୁ ଏହି କମିଟି ତରଫରୁ ସୁପାରିଶ କରାଯାଇଛି। ଏହାକୁ ଜେଣ୍ଡର ନ୍ୟୁଟ୍ରାଲ ଅପରାଧର ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦେଇଚି ସଂସଦୀୟ କମିଟି । ଅର୍ଥାତ୍ ଏହି ମାମଲାରେ ପୁରୁଷ ଏବଂ ମହିଳା ଉଭୟ ବର୍ଗଙ୍କୁ ଏଥଇପାଇଁ ଉତ୍ତରଦାୟୀ ବୋଲି ବିଚାର କରାଯିବା ଉଚିତ୍ ।

ତେବେ ଏହି ସମ୍ପର୍କକୁ ନେଇ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଅପରାଧ ତାଲିକାରୁ ବାଦ୍ ଦେଇଥିଲେ । ତେବେ ବର୍ତ୍ତମାନ ପୁଣିଥରେ ଏହି ନିୟମ ଅପରାଧ ତାଲିକାରେ ସ୍ଥାନ ପାଇଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ସମାନ ହେବ । ସୂଚନା ଥାଉ କି, ସେପ୍ଟେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କ୍ରିମିନାଲ ଜଷ୍ଟିସ ସିଷ୍ଟମକୁ ମଜବୁତ କରିବା ପାଇଁ ଲୋକସଭାରେ ୩ଟି ବିଲ୍ ଆଗତ କରିଥିଲେ । ଏଥିରେ ଭାରତୀୟ ନ୍ୟୟ ସଂହିତା, ଭାରତୀୟ ସାକ୍ଷ୍ୟ ବିଧେୟକ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ସାମିଲ ରହିଥିଲା । ଗୃହମନ୍ତ୍ରୀଙ୍କ ଅନୁସାରେ, ଏହି ନିୟମ ଗୁଡ଼ିକ ଲାଗୁ କରିବା ପରେ ନ୍ୟାୟ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହାପରେ ଗୃହମନ୍ତ୍ରୀଙ୍କ ଏହି ବିଲକୁ ସ୍କୁଟନୀ ପାଇଁ ବିଜେପି ସାଂସଦ ବୃଜଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ମାମଲାର ସ୍ଥାୟୀ ସମିତିକୁ ପଠାଯାଇଥିଲା । ତେବେ କଂଗ୍ରେସ ସାଂସଦ ପି. ଚିଦାମ୍ବରମଙ୍କ ଏହା ଉପରେ ଆପତ୍ତି ଉଠାଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅବୈଧ ସମ୍ପର୍କ ଉପରେ ନିଷ୍ପତ୍ତି ଶୁଣାଇଥିଲେ । ବେଞ୍ଚରେ ନିଷ୍ପତ୍ତି ନିଆଯାଇଛି ଯେ, ଏହା ଏକ ୧୬୩ ବର୍ଷ ପୁରୁଣା ଏବଂ ଉପନିବେଶ-ଯୁଗର ନିୟମ, ଯାହା ପତ୍ନୀ ସ୍ୱାମୀଙ୍କ ଅଧୀନରେ ରହିବା ଫର୍ମୁଲା ଉପରେ ରହିଥାଏ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ପୁରୁଣା, ମନମୁଖୀ ଏବଂ ପିତୃସତ୍ତାତ୍ମକ ବୋଲି ରାୟ ଶୁଣାଇଥିଲେ । ଏହାସହିତ ଏଭଳି ନିୟମ ମହିଳାଙ୍କ ସ୍ୱାଧୀନତାର ଉଲ୍ଲଂଘନ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

Get real time updates directly on you device, subscribe now.