fbpx

୨୬/୧୧ ଆକ୍ରମଣ ଘଟଣା ସହ କ’ଣ ରହିଛି ଏହି ଇସ୍ରାଏଲ ବାଳକଙ୍କ ସମ୍ବନ୍ଧ, ମୋଦୀ ଆଲିଙ୍ଗନ କରି ଭାରତ ଆସିବାକୁ କରିଥିଲେ ଆମନ୍ତ୍ରଣ

ନୂଆଦିଲ୍ଲୀ:୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୫ ବର୍ଷ ହୋଇଛି । ଏହି ଭୟାନକ ଆକ୍ରମଣର ଚିତ୍ର ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ । ପାକିସ୍ତାନୀ ଆତଙ୍କବାଦୀମାନେ ସମୁଦ୍ର ରାସ୍ତାରେ ଭାରତ ମଧ୍ୟରେ ପ୍ରବେଶ କରି ମୁମ୍ବାଇର ତାଜ ହୋଟେଲ ସହିତ ବହୁ ଅନ୍ୟ ସ୍ଥାନରେ ଭାରତୀୟ ଓ ଅନ୍ୟମାନଙ୍କୁ ବନ୍ଧକ ବନାଇ ନେଇଥିଲେ । ଏହି ସମୟରେ ଆତଙ୍କୀ ଆକ୍ରମଣରେ ୧୮ ଜଣ ସୁରକ୍ଷାକର୍ମୀଙ୍କ ସହିତ ୧୬୬ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଜଣେ ମାତ୍ର ଆତଙ୍କବାଦୀ ଅଜମଲ ଅମୀର କସବକୁ ସୁରକ୍ଷାକର୍ମୀ ଜୀବନ୍ତ ଧରିପାରିଥିଲେ ଯାହା ଉପରେ ମୋକଦ୍ଦମା ଚାଲିବା ପରେ ତାକୁ ଫାଶୀ ଦିଆଯାଇଥିଲା ।

ଏହି ଆକ୍ରମଣ ସହିତ ଇସ୍ରାଏଲର ଏକ ବାଳକ ମୋଶେ ହୋଲତ୍ସବର୍ଗଙ୍କର ବି ଗଭୀର ସଂପର୍କ ରହିଛି ଯିଏ କି ସେହି ସମୟରେ ମୁମ୍ବାଇରେ ଥିଲେ ଓ ଘଟଣା ସମୟରେ ତାଙ୍କୁ ମାତ୍ର ୨ ବର୍ଷ ହୋଇଥିଲା । ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ଗସ୍ତ କରିବା ସମୟରେ ଏହି ଇସ୍ରାଏଲ ବାଳକ ମୋଶେଙ୍କୁ ଛାତିରେ ଲଗାଇ କୁଣ୍ଢାଇ ପକାଇଥିଲେ ଓ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଜି ବି ମୁମ୍ବାଇ ଆକ୍ରମଣର ସେହି ଭୟଙ୍କର ଦୃଶ୍ୟ ମୋଶେର ସ୍ମରଣ ରହିଛି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ନେହକୁ ବି ସେ ଭୁଲିପାରି ନାହିଁ । ଏହି ଦୁଇଟି ମୁହୂର୍ତ୍ତକୁ ସେ ଏହିଦିନ ପୁଣି ସ୍ମରଣ କରିଛି ।

୨୬/୧୧ ଆତଙ୍କବାଦୀ ଆକ୍ରମଣରେ ମୋଶେ ଭାଗ୍ୟବଶତଃ ବଞ୍ଚିଯାଇଥିଲା । ଆତଙ୍କବାଦୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଯେଉଁଥିରୁ ଗୋଟିଏ ଥିଲା ନରିମନ ହାଉସ୍ । ଆକ୍ରମଣ ସମୟରେ ମୋଶେ ନିଜର ମାତା ପିତାଙ୍କ ସହ ଏହି ହାଉସ୍‌ରେ ଥିଲା । ଏହି ଆକ୍ରମଣରେ ମୋଶେର ମାତାପିତା ପ୍ରାଣ ହରାଇଥିଲେ । ଜଣେ ନର୍ସ ସେହି ସମୟରେ ମୋଶେଙ୍କ ପ୍ରାଣ ବଞ୍ଚାଇ ପାରିଥିଲେ ଯାହାଙ୍କୁ ଏବେ ଇସ୍ରାଏଲର ନାଗରିକତ୍ୱ ମିଳିଛି । ଏହା ସହିତ ଇସ୍ରାଏଲ ସରକାର ତାଙ୍କୁ ଏକ ବିଶେଷ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି । ଏବେ ମୋଶେ ତାଙ୍କ ଅଜା ଆଇଙ୍କ ପାଖରେ ରହୁଛନ୍ତି । ତାଙ୍କ ଆଇ କହିଛନ୍ତି ଆମେ ସେଦିନର ଦୁର୍ଘଟଣାକୁ କେବେ ବି ଭୁଲିପାରିବୁ ନାହିଁ । ଆମ ପରିବାର ଓ ଅନ୍ୟ ଇସ୍ରାଏଲ ପରିବାର ଉପରେ ଯେଉଁ ସଂକଟ ପଡିଥିଲା ତାହା ସମସ୍ତଙ୍କର ମନେ ଥିବ । ମୋଶେକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଏପରି ସ୍ନେହ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।

ବାଳକ ମୋଶେ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠାଇ ଚର୍ଚ୍ଚାକୁ ଆସିଛନ୍ତି । ଗତ ବର୍ଷ ମୋଶେ ଏକ ଭିଡିଓ ବାର୍ତ୍ତା ଜାରି କରି ଅନ୍ତଃରାଷ୍ଟ୍ରୀୟ ସମୁଦାୟକୁ ଆତଙ୍କର ମୁକାବିଲା କରିବାକୁ ନୂଆ ଉପାୟ ଖୋଜିବାକୁ ନିବେଦନ କରିଥିଲେ । ସେ କହିଥିଲେ ସେ ଓ ତାଙ୍କ ପରିବାର ଯେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି ଆଉ କାହାକୁ ବି ସେପରି ପରିସ୍ଥିତି ଦେଇ ଗତି କରିବାକୁ ନ ପଡୁ । ଏହି ଭିଡିଓରେ ମୋଶେ କିପରି ସେଦିନ ବଞ୍ଚିଯାଇଥିଲେ ସେହି କାହାଣୀ ମଧ୍ୟ ସେୟାର କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ନେହକୁ ମଧ୍ୟ ସେ ମନେ ପକାଇଛନ୍ତି ।

Get real time updates directly on you device, subscribe now.