ରାତି ହେଲେ ଡର ଲାଗୁଛି… ରାଜଧାନୀରେ ଡକାୟତି ବଢ଼ିବା ପ୍ରସଙ୍ଗରେ ନିରଞ୍ଜନଙ୍କ ପ୍ରତିକ୍ରିୟା
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି କଳାକନା ବୁଲାଇଲେ ଚୋରା ଲୁଟିନେଲେ ନଗଦ ଟଙ୍କା ଓ ସୁନା ଅଳଙ୍କାରା
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ସୋମବାର ବିଳମ୍ବିତ ରାତିରେ ଏନ୍-୨୫ ଘରେ ପୁଣି ଚୋରି ଉଦ୍ୟମ ହୋଇଛି।
ଏଥର ଚୋର ଧରା ପଡ଼ିଥିବାବେଳେ ପୋଲିସ ଗିରଫ କରି ପଚରାଉଚରା କରିଥିବା ଜଣାପଡ଼ିଛି।
କହିରଖୁଛୁ ଏହା ପୂର୍ବରୁ ଗତ ୨୬ରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍-୨୯ ଘରୁ ଚୋରି ହୋଇଥିଲା।
ଝରକା ଭାଙ୍ଗି ପଶିଥିଲା ଚୋର: ସୋମବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୫ରେ ନିରଞ୍ଜନଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘର ଝରକା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ସମୟରେ ଘରର କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଥିଲେ।
ତେବେ ପ୍ରଥମ ଚୋର ଏବଂ ସୋମବାର ଧରା ପଡ଼ିଥିବା ଚୋର ଉଭୟ ଅଲଗା ବ୍ୟକ୍ତି ବୋଲି ଜଣାପଡ଼ିଛି।
ନିରଞ୍ଜନଙ୍କ ପ୍ରତିକ୍ରିୟା: ରାଜଧାନୀରେ ଡ୍ରଗ୍ସ ,ନିଶା ଓ ଚୋରି କରୁଥିବା କ୍ରିମିନାଲଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଆମେ ଭୟବିତ ରହୁଛୁ ।
ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ପ୍ରଶାସନ ଓ ପୋଲିସ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ପ୍ରଥମ ଚୋରି: ଗତ ୨୬ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍-୨୯ ଘରେ ପଶି କଳାକନା ବୁଲାଇଥିଲା ଚୋର। ଉପର ମହଲରେ ରହୁଥିବା ପୁଅ ଓ ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଚୋରି ହୋଇଥିଲା।
ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଚୋର କିପରି ପାଚେରୀ ଡେଇଁ ଘରେ ପଶିଥିଲା, ଲୁଟ ପରେ ଝରକା ପଟେ ଚମ୍ପଟ ମାରିଥିଲା। କିନ୍ତୁ ପୋଲିସ ତାକୁ ଧରିବାରେ ଏବେବି ବିଫଳ।
କଣ କହିଥିଲେ ଡିସିପି: ଏହି ଘଟଣା ସମ୍ପର୍କରେ ସୋମବାର ଡିସିପି ପିନାକ ମିଶ୍ର କହିଥିଲେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ୍ ଚେଷ୍ଟା କରୁଛନ୍ତି।
କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଏହି ମାମଲାରେ ଖୁବ୍ଶୀଘ୍ର ସଫଳତା ମିଳିବ ବୋଲି ଆଶା ରହିଥିବା କହିଛନ୍ତି ଡିସିପି ଶ୍ରୀ ମିଶ୍ର ।
କୋକୁଆ ଭୟ: ଏବେ ଚୋରଙ୍କ ଟାର୍ଗେଟରେ ନିରଞ୍ଜନ। ଏଭଳି ଏକ ବଡ ଧରଣର ଡ଼କାୟତିକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
କହିବାକୁ ଗଲେ ବଡ଼ବଡ଼ିଆଙ୍କ ଘରେ ଚୋରି ହେଲେ ପୋଲିସ ଆଲର୍ଟ ରହୁଛି। ଜୋରସୋରରେ ଚାଲୁଛି ପୋଲିସ ତଦନ୍ତ।
ଅପରପକ୍ଷରେ ଜନତାଙ୍କ ଘରୁ ଚୋରି ହେଲେ ଯେପରି ପୋଲିସ ଫାଇଲେ ତଳେ ଚାପି ହୋଇ ରହିଯାଉଛି।
ବର୍ତ୍ତମାନ ଦେଖିବାକୁ ବାକି ରହିଲା ଚୋରଙ୍କ ପରବର୍ତ୍ତୀ ଟାର୍ଗେଟ କିଏ ହେବ?