fbpx

ଗୁଜରାଟ ନିର୍ବାଚନରେ କାହା ପାଇଁ ବ୍ୟାଟିଂ କରିବେ ଜାଡେଜା, ପତ୍ନୀ ଏବଂ ଭଉଣୀ ମଧ୍ୟରେ ହୋଇପାରେ ବିଗ୍ ଫାଇଟ୍

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ଅନେକ ଆସନରେ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଜୋର ଧରିଛି। ସବୁଠୁ ରୋଚକ ମୁକାବିଲା ଜାମନଗର ଉତ୍ତର ଆସନରେ ଦେଖିବାକୁ ମିଳିପାରେ। ଏଠାରେ ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପରିବାର ମଧ୍ୟରେ ରାଜନୈତିକ ଲଢେଇ ହୋଇପାରେ। ଗୋଟିଏ ପଟେ ବିଜେପିରୁ ତାଙ୍କ ପତ୍ନୀ ରିଭାବା ଜାଡେଜା ମଇଦାନକୁ ଓହ୍ଲାଇ ପାରନ୍ତି ତ ଅନ୍ୟପଟେ କଂଗ୍ରେସ ପକ୍ଷରୁ ତାଙ୍କ ଭଉଣୀ ନୈନା ନିର୍ବାଚନ ଲଢି ପାରନ୍ତି। ରିଭାବା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏହାର କିଛି ଦିନ ପରେ ତାଙ୍କ ଭଉଣୀ ନୈନା କଂଗ୍ରେସରେ ମିଶିଥିଲେ। ଜାମନଗରରେ ଜାଡେଜାଙ୍କ ଭଉଣୀ ନୈନାଙ୍କ ଭଲ ପତିଆରା ରହିଛି। ସେ ଜିଲ୍ଲାର ମହିଳା କଂଗ୍ରେସ ଅଧ୍ୟକ୍ଷ ଏବଂ ତୃଣମୂଳସ୍ତରରେ ବହୁତ ସକ୍ରିୟ ଅଛନ୍ତି।

ଜାଡେଜାଙ୍କ ପତ୍ନୀ ରିଭାବା ବିଜେପି ଦଳରୁ ଟିକେଟ୍ ପାଇବାର ପ୍ରବଳ ଦାବିଦାର। ବର୍ତ୍ତମାନ ବିଧାୟକ ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଟିକେଟ୍ କଟିବାର ସମ୍ଭାବନା ରହିଛି। ତେଣୁ ତାଙ୍କ ଟିକେଟ୍ ଜାଡେଜାଙ୍କ ପତ୍ନୀଙ୍କୁ ମିଳିପାରେ। ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଜାମନଗରରେ ସ୍ଥିତି ମଜବୁତ ରହିଛି। ମାତ୍ର ତାଙ୍କର ଛବିକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। କିଛି ଦିନ ପୂର୍ବେ ରାଜ୍ୟସଭା ସାଂସଦ ପରିମଳ ନାଥବାଣୀ ଅପିଲ୍ କରିଥିଲେ ଯେ, ନିର୍ମଳ ଭାବମୂର୍ତ୍ତି ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଉ। ତେଣୁ ଧର୍ମେନ୍ଦ୍ରଙ୍କ ଟିକେଟ୍ କଟିବା ପ୍ରାୟତଃ ସ୍ପଷ୍ଟ ଲାଗୁଛି। ଏମିତି ସ୍ଥିତିରେ ରିଭାବା ସେଲିବ୍ରିଟିଙ୍କ ପତ୍ନୀ ହେବା ସହିତ ମହିଳା ନେତା ଭାବେ ଭଲ ପ୍ରାର୍ଥୀ ହୋଇପାରିବେ।

ବିଜେପି ସୂତ୍ର ଅନୁଯାୟୀ, ରିଭାବା ଯେଉଁଭଳି ରାଜନୀତିରେ ସକ୍ରିୟ ଅଛନ୍ତି, ଏଥିରୁ ସ୍ପଷ୍ଟ ଯେ ସେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରନ୍ତି। ରିଭାବା ରାଜକୋଟର ବାସିନ୍ଦା। ତାଙ୍କ ବାପା ଜଣେ ବଡ ଉଦ୍ୟୋଗପତି। ଏହି କାରଣରୁ ରିଭାବା ଅନେକ ବର୍ଷ ଧରି ସାମାଜିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ବି ବିଜେପିର ପ୍ରତିଟି ଚାଲ୍ ଉପରେ ନଜର ରଖିଛି। ଯଦି ଜାମନଗର ଆସନରେ ବିଜେପି ପକ୍ଷରୁ ରିଭାବା ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ କଂଗ୍ରେସ ଜାଡେଜାଙ୍କ ଭଉଣୀ ନୈନାଙ୍କୁ ମଇଦାନକୁ ଓହ୍ଲାଇପାରେ। ନୈନାଙ୍କ ଛବି ବଳିଷ୍ଠ ରହିଛି ଏବଂ ସେ ଜଣେ ହୋଟେଲର ମାଲିକ। ଯଦି ଏମିତି ହୁଏ ତେବେ ଜାମନଗର ଉତ୍ତର ଆସନରୁ ରୋଚକ ମୁକାବିଲା ଦେଖିବାକୁ ମିଳିପାରେ।

କାହାକୁ ସମର୍ଥନ ଦେବେ ଜାଡେଜା
ଜାମନଗର ଉତ୍ତର ଆସନରେ ରାଜନୈତିକ ଲଢେଇ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିପାରେ। ତାଙ୍କ ସାମ୍ନାରେ ଦ୍ଵନ୍ଦ୍ଵାତ୍ମକ ସ୍ଥିତି ଉପୁଜିପାରେ। ସ୍ଵାମୀର ଧର୍ମ ପାଳନ କରିବେ ନା ଭାଇର ଧର୍ମ ନିଭାଇବେ, ଯିଏ ବିପଦ ସମୟରେ ତାଙ୍କର ସାହାଯ୍ୟ କରିଥିଲେ। କୁହାଯାଏ ମାଙ୍କ ମୃତ୍ୟୁ ପରେ ଜାଡେଜାଙ୍କ ଭଉଣୀ ହିଁ ଘରର ସମସ୍ତ ଦାୟିତ୍ଵ ତୁଲାଉଥିଲେ। ଜାଡେଜାଙ୍କୁ କ୍ରିକେଟ୍ ଖେଳିବା ପାଇଁ ସର୍ବଦା ପ୍ରେରିତ କରିଥିଲେ। ଜାଡେଜାଙ୍କ ଭଉଣୀଙ୍କ ବ୍ୟତୀତ ତାଙ୍କ ବାପା ଅନିରୁଦ୍ଧ ସିଂହ ଜାଡେଜା ମଧ୍ୟ କଂଗ୍ରେସରେ ଅଛନ୍ତି।

Get real time updates directly on you device, subscribe now.