ଭୁବନେଶ୍ବର: କାର୍ଯ୍ୟରୁ ନିଲମ୍ବିତ ହେଲେ ସହକାରୀ ଜିଲ୍ଲାପାଳ । ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା କାରଣରୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସରକାରୀ ବାବୁଙ୍କ ନାମ ଉମେଶ ଲେଙ୍କା । ଜଗତସିଂହପୁର ଠାରେ କାର୍ଯ୍ୟ କରୁଥିବା ପୂର୍ବତନ ଏମରଜେନ୍ସୀ ଅଫିସର ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲପାଳ ଭାବରେ କାର୍ଯ୍ୟ କରୁଥିଲେ ।
ସୂଚନା ଅନୁସାରେ, କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଏପ୍ରିଲ ମାସରେ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉମେଶ ଲେଙ୍କାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଅଭିଯୋଗ ଘଟଣାର ତଦନ୍ତ କରି ଜିଲ୍ଲା ଅଭିଯୋଗ କମିଟି ରିପୋର୍ଟ ଦେବା ପରେ ତତ୍କାଳୀନ ଜିଲ୍ଲାପାଳ, ଉମେଶ ଲେଙ୍କାଙ୍କୁ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବଦଳି କରି ଦେଇଥିଲେ । ତେବେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ 3 ମାସ ଭିତରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ସଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।