(Video) ଜୟ ଜଗନ୍ନାଥ… ମା’ଙ୍କୁ କାଖେଇ ନେଇ ଚଢିଲେ ବାଇଶି ପାହାଚ: ଶ୍ରୀମନ୍ଦିରରେ କରାଇଲେ ଜଗନ୍ନାଥଙ୍କ ଦିବ୍ୟଦର୍ଶନ

ପୁରୀ: କୁହାଯାଏ ମା’ର ମମତା ଆଉ ସ୍ନେହ ଅସୁଝା । ମା’ ତ୍ୟାଗକୁ ସୁଝିବା କୌଣସି ସନ୍ତାନ ସୁଝି ପାରେନାହିଁ । ୧୦ ମାସ ଗର୍ଭ ଯନ୍ତ୍ରଣା ଆଉ ତା’ପରେ ପ୍ରସବ ଯନ୍ତ୍ରଣା ପରେ ବି ଖୁସି ଖୁସି ସେ ନିଜ ସନ୍ତାନକୁ ଦେଖାଏ ପୃଥିବୀ ଆଲୋକ । ସନ୍ତାନ ପାଇଁ ମରଣ ସହିତ ଲଢୁଥିବା ଏକମାତ୍ର ଶକ୍ତି ହେଉଛି ମା’ । ତେଣୁ ତା’ ଋଣ ସୁଝିବା ଅସମ୍ଭବ । କିନ୍ତୁ ଏବେ ଏକ ଭିଡିଓରେ ଜଣେ ବ୍ୟକ୍ତି ଏପରି କିଛି କାମ କରିଛନ୍ତି ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ମା’ଙ୍କୁ କୋଳରେ ଧରି ବାଇଶି ପାହାଚ ଚଢି ସେ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ସେଥିପାଇଁ ତାଙ୍କୁ ଏ ଯୁଗର ଶ୍ରବଣ କୁମାର ବୋଲି କୁହାଯାଉଛି ।

ଶ୍ରବଣ କୁମାର ନିଜ ଅନ୍ଧ ପିତାମାତାଙ୍କୁ କାନ୍ଧରେ ଧରି ତୀର୍ଥଭ୍ରମଣ କରାଇଥିଲେ । ଆଉ ଏବେ ଜଣେଶ ବ୍ୟକ୍ତି ତାଙ୍କ ମା’ଙ୍କୁ କୋଳରେ ଧରି ଶ୍ରୀମନ୍ଦିରର ବାଇଶି ପାହାଚ ଚଢି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ଏହି ଘଟଣାର ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ମା’ଙ୍କୁ କାଖେଇ ଧରିଛନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇବା ପାଇଁ ସିଂହଦ୍ୱାରରେ ପ୍ରବେଶ କରିଛନ୍ତି । ମା’ଙ୍କ ବର୍ଷ ବର୍ଷର ଇଚ୍ଛା ଆଉ ଅଭିଳାଷାକୁ ପୂରଣ କରିବା ପାଇଁ ପୁଅ ତାଙ୍କୁ କୋଳରେ ନେଇ ଆସିଛନ୍ତି । ବୁଢୀ ମା’ଙ୍କ ଚେହେରାରେ ବି ଖୁସି ଆଉ ଭାବ ଭକ୍ତିର ଝଲକ ଦେଖିବାକୁ ମିଳୁଛି । ମନେ ମନେ ଆଶୀର୍ବାଦ ଅ।।ଉ ସ୍ନେହର କଳସ ଅଜାଡ଼ି ଦେଉଛନ୍ତି ପୁଅ ଉପରେ । ପୁଅ ବି ମା’ଙ୍କ ସମ୍ମାନ ପାଇଁ କାଖରେ ଉଠାଇ ଭଗବାନଙ୍କ ଦର୍ଶନ କରାଉଛନ୍ତି ।

ଏହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ମା’ ପୁଅଙ୍କ ଏ ସମ୍ପର୍କର ଡୋରୀ ଆଉ ଅତୁଟ ସମ୍ପର୍କ ଲୋକଙ୍କ ହୃଦୟକୁ ଛୁଇଁଯାଇଛି । ଲୋକେ ବ୍ୟକ୍ତି ଜଣକଙ୍କର ଖୁବ ପ୍ରଶଂସା କରିଛନ୍ତି । ସେ ହିଁ ଗୋଟିଏ ମା’ର ଯୋଗ୍ୟ ସନ୍ତାନ, ସେ ହିଁ ମା’ର ମମତାକୁ ସଠିକ ଭାବରେ ବୁଝିପାରିଛି । ଏହି ଭିଡିଓ ଅନେକ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରି ନେଇଛି । ମା’-ପୁଅଙ୍କ ସମ୍ପର୍କ ପ୍ରକୃତରେ ନିସ୍ୱାର୍ଥପର ଆଉ ଶୁଦ୍ଧ । ମା’ର ମମତା ଆଉ ସ୍ନେହର ମୂଲ୍ୟ କେହି ବି ସୁଝିପାରିବେ ନାହିଁ ବୋଲି କହିଛନ୍ତି ସୋସିଆଲ ମିଡିଆ ୟୁଜର ।

ଏ ଭିଡିଓ ବୁଝାଇ ଦେଇଛି ଯେ, ପିଲାମାନଙ୍କ ପାଇଁ ମା’ର ମମତାର କିଛି ବି ସୀମା ନାହିଁ । ପିଲାମାନେ ବି ମା’ଙ୍କୁ ସମ୍ମାନ କରନ୍ତି ଆଉ ପ୍ରଚୁର ଭଲପାଆନ୍ତି ବୋଲି କହିଛନ୍ତି ୟୁଜର । ତେବେ ଏହି ଭିଡିଓରେ ମା’ ଏବଂ ପୁଅ ଉଭୟଙ୍କ ପାଇଁ ଏହି ମୁହୂର୍ତ୍ତ ଜୀବନର ଏକ ଅଭୁଲା ମୁହୂର୍ତ୍ତ ହୋଇ ରହିଯିବ । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖ ସାରିଥିବା ବେଳେ ହଜାର ହଜାର ଲୋକ ଏଥିରେ କମେଣ୍ଟ କରିଛନ୍ତି । ଅନେକ ଲୋକ ଏହାକୁ ସେୟାର କରି ଭାବ ବିହ୍ୱଳ ମେସେଜ କରୁଥିବା ଦେଖାଯାଉଛି ।