fbpx

ଦୁଃଖ ଖବର: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ପରଲୋକ

ନୂଆଦିଲ୍ଲୀ: ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ସମାପ୍ତ ହୋଇଛି । ଆସନ୍ତା ୮ ତାରିଖରେ ଫଳାଫଳ ଘୋଷଣା ହେବ । ତେବେ ଭୋଟ ଗଣତି ପୂର୍ବରୁ ଆସିଛି ଏକ ଦୁଃଖ ଖବର । ସୁରନକୋଟ ଆସନର ବିଜେପି ପ୍ରାର୍ଥୀ ସୈୟଦ ମୁସ୍ତାକ ବୁଖାରୀଙ୍କ ପରଲୋକ ଘଟିଛି । ଗତ ଫେବୃଆରୀ ମାସରେ ବୁଖାରୀ ବିଜେପିରେ ସାମିଲ ହୋଇଥିଲେ । ତା’ ପୂର୍ବରୁ ସେ ନ୍ୟାସନାଲ କନଫରେନ୍ସରେ ଥିଲେ । ବୁଖାରୀଙ୍କ ବିୟୋଗରେ ବିଜେପିର ବହୁ ବରିଷ୍ଠ ନେତାଙ୍କ ସମେତ ବହୁ ରାଜନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଜମ୍ମୁ କଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ପହାଡ଼ୀ ନେତା ବୁଖାରୀଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି । ହୃଦୟର ସ୍ପନ୍ଦନ ଅଟକିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ବୁଖାରୀ ସୁନକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ଅକ୍ଟୋବର ୮ରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାନ୍ତା । ତେବେ ତା’ ପୂର୍ବରୁ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି । ପୁଞ୍ଛ ଜିଲ୍ଲାର ଏହି ଆସନରୁ ବୁଖାରୀ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ । ପହାଡ଼ୀ ସମୁଦାୟଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦିଆଯିବାକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ସହ ମତଭେଦକୁ ନେଇ ୨୦୨୨ରେ ସେ ପାର୍ଟି ଛାଡ଼ିଥିଲେ ।

Get real time updates directly on you device, subscribe now.