fbpx

ଜାପାନ ଡାକ୍ତରଙ୍କ ସତର୍କବାଣୀ: ବଡ଼ ବିପଦକୁ ଟାଣି ଆଣିବ ଟୋକିଓ ଅଲିମ୍ପିକ୍ସ , କରୋନା ସଂକ୍ରମଣ ଆଉ ଏକ ନୂଆ ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା କଦାପି ଏଡାଇ ଦିଆଯାଇ ନ ପାରେ….

ଟୋକିଓ  : ଜାପାନ ସରକାର କରୋନା ଆତଙ୍କକୁ ବେଖାତିର କରି ଆସନ୍ତା ଜୁଲାଇ ମାସରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଦେଶର ବହୁ ସଂଖ୍ୟକ ସଚେତନଶୀଳ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଏହାକୁ ଦୃଢ଼ ସ୍ୱରରେ ବିରୋଧ କରୁଛନ୍ତି । ତଥାପି ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଜିଦ୍‌ରେ ଅଟଳ ରହିବା ସହ ଯେ କୌଣସି ମତେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଆଗେଇ ଚାଲିଛନ୍ତି ।

ତେବେ ଜାପାନୀ ଡାକ୍ତର ୟୁନିୟନର ମୁଖ୍ୟ ନାଓତା ଉୟାମା ସତର୍କବାଣୀ ଶୁଣାଇ କହିଛନ୍ତି ଯେ ଏହି କ୍ରୀଡା ଅନୁଷ୍ଠିତ ହେଲେ ଦେଶପାଇଁ ବଡ ବିପଦ ମାଡି ଆସିବ । କାରଣ ଟୋକିଓ ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ହଜାର ଆଥଲେଟ୍‌ ଓ କର୍ମକର୍ତ୍ତା ଯୋଗ ଦେବେ । ବିଦେଶୀ ପର୍ଯ୍ୟଟକ୍‌ ଓ କ୍ରୀଡାପ୍ରେମୀଙ୍କୁ ବାରଣ କରାଯାଇଥିଲେ ହେଁ କୌଣସି ଫରକ ପଡିବ ନାହିଁ । କାରଣ ବିଭିନ୍ନ ଦେଶର ଅସଂଖ୍ୟକ ଆଥଲେଟ୍‌ ଓ ଅଫିସିଆଲଙ୍କ ସମାଗମ ହେବ । ତେଣୁ ଅଲିମ୍ପିକ୍ସ ପରେ ଦେଶରେ ପୁଣି କରୋନା ମହାମାରୀ ଭୟଙ୍କର ରୂପ ନେବା ପାଇଁ ସୁଯୋଗ ପାଇବ । ଏହା ସହିତ ଦେଶରେ ଆଉ ଏକ ନୂଆ ଷ୍ଟ୍ରେନ କରୋନା ସଂକ୍ରମଣ ଆଶଙ୍କାକୁ କଦାପି ଏଡାଇ ଦିଆଯାଇ ନ ପାରେ ।

ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ ୫ ପ୍ରତିଶତ ଲୋକଙ୍କୁ ଟିକା ଦିଆ ଯାଇଛି । ଦେଶସାରା ଟିକାକରଣ ନିକଟ ଭବିଷ୍ୟତରେ ସମ୍ଭବ ନୁହେଁ । ତେଣୁ ଏପରି ଜଟିଳ ପରିସ୍ଥିତିରେ ଅଲିମ୍ପିକ୍ସ ପରି ଏକ ସର୍ବବୃହତ କ୍ରୀଡା ଆୟୋଜନ ପାଇଁ ପଦକ୍ଷେପ ନେବା ମସ୍ତବଡ ଭୁଲ ସାବ୍ୟସ୍ତ ହୋଇ ପାରେ । ସେହିପରି ସ୍ୱାସ୍ଥ୍ୟ ଭିତିଭୂମି ଉପରେ ମଧ୍ୟ ବଡ ପ୍ରଭାବ ପଡିବ । ଦେଶରେ ସଂପ୍ରତି କରୋନାର ଚତୁର୍ଥ ଲହର ଚାଲିଛି । ଏହାକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ଚାଲେଞ୍ଜର ସମ୍ମୁଖୀନ
ହୋଇଛି ।

ତେଣୁ ଟୋକିଓ ଅଲିମ୍ପିକ୍ସ ଯୋଗୁ ଦେଶର ଆଉ ଅଧିକ ଲୋକ ସଂକ୍ରମିତ ହେଲେ ,ସମସ୍ତଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇ ପଡିବ ।
ତେଣୁ ସରକାର ଟୋକିଓ ଅଲିମ୍ପିକ୍ସ ଆୟୋଜନ ଦିଗରେ ଆଉ ଅଧିକ ଆଗକୁ ଅଗ୍ରଗତି ନ କରି ଏଥିରୁ ଯଥାଶୀଘ୍ର ଓହରି ଗଲେ ସମଗ୍ର ଦେଶ ପାଇଁ ହିତକର ହେବ । ନଚେତ ସରକାର ଶେଷରେ ଚରମ ପରିଣତି ଭୋଗିବାକୁ ପଡିବ ବୋଲି ଦେଶର ଡାକ୍ତର ସଂଘ ଜାପାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.