fbpx
BJD SKY
BJD SKY

ବିହାରରେ ଭାଙ୍ଗିଲା BJP ଓ JDU ମେଣ୍ଟ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ!

BJD

ପାଟନା: ବିହାରରେ ଦୀର୍ଘସମୟରୁ ଚାଲିଆସୁଥିବା ରାଜନୈତିକ ଝଡ଼ରେ ଶେଷରେ ପଡ଼ିଛି ପୂର୍ଣ୍ଣଛେଦ । ମିଡିଆ ରିପୋର୍ଟ ଅନୁସାରେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି ଓ ଜନତାଦଳ ୟୁନାଇଟେଡ ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବାକୁ ଯାଉଛନ୍ତି ନୀତିଶ । ଖବର ମିଳିଛି କି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହ୍ୱାନଙ୍କ ସହ ସାକ୍ଷାତ କରିବାକୁ ସମୟ ମାଗିଥିଲେ । ସେ ଆଜି ଅପରାହ୍ନ ୪ଟା ସମୟରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟ କରିପାରନ୍ତି । ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ । ଖବର ମିଳିଛି କି, ନୀତୀଶ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

ସୂଚନା ଅନୁସାରେ, ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବ ଜେଡିୟୁ । ଏହାକୁ ଆରଜେଡି ଓ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛନ୍ତି । ନିଷ୍ପତ୍ତି ଅନୁସାରେ, ବିହାରରେ ନୀତୀଶ କୁମାର ହେବେ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଯାଦବ ହେବେ ଉପ ମୁଖ୍ୟମନ୍ତ୍ରୀ । ସରକାର ଗଠନକୁ ନେଇ ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ କଥା ହୋଇସାରିଥିବା ଜଣାପଡିଛି ।

ଅନ୍ୟପଟେ ନୀତୀଶ କୁମାରଙ୍କଠାରୁ ତେଜସ୍ୱୀ ଗୃହ ବିଭାଗ ଏବଂ ବାଚସ୍ପତି ଦାବି କରିଛନ୍ତି । ସୂଚନାନୁସାରେ, ମହାଗଠବନ୍ଧନରେ ହୋଇଥିବା ଚୁକ୍ତି ଅନୁଯାୟୀ ନୀତୀଶ କୁମାର କେବଳ ୮-୧୦ ମାସ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ । ଏହା ପରେ ସେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ।

Get real time updates directly on you device, subscribe now.