କଣ୍ଟ୍ରାକ୍ଟରଙ୍କଠାରୁ ନଗଦ ଟଙ୍କା ନେଇ ଯାଉଥିଲେ ଜୁନିଅର ଇଞ୍ଜିନିୟର, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: କଣ୍ଟ୍ରାକ୍ଟରଙ୍କଠାରୁ ବିପୁଳ ଟଙ୍କା ଲାଞ୍ଚ ନେଇ ଯିବା ସମୟରେ ଜୁନିଅର ଇଞ୍ଜିନିୟର(JE)ଙ୍କୁ ମାଡି ବସିଲା ଓଡିଶା ଭିଜିଲାନ୍ସ। ଆରଡି ଡିଭିଜନ ଜାରକା, କୁଆଖିଆ ସେକ୍ସନ JE ଭୀମାସେନ ମହାରଣା ନଗଦ ଟଙ୍କା ନେଇ ଯାଉଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା।

ହୁଣ୍ଡାଇ ଆଇ-୨୦ କାର(ଓଡି-୦୨-ଟି-୮୮୧୪) ନେଇ ତାଙ୍କ କାର୍ଯ୍ୟାଳୟରୁ ଘର ଖୋର୍ଦ୍ଧାର ବାଲିଅନ୍ତାକୁ ଯିବା ସମୟରେ କଟକର ଟାଙ୍ଗୀ ଟୋଲ ଗେଟ୍ ନିକଟରେ ଏନଏଚ-16 ରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ଏହା ପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚରେ ତାଙ୍କ ନିକଟରୁ ୨,୦୩,୯୪୦/- ଟଙ୍କା (ଅନୈତିକ ଭାବରେ ଅର୍ଜିତ ସନ୍ଦିଗ୍ଧ ନଗଦ) ମିଳିଥିଲା।

ଏହି ଟଙ୍କାର ଉତ୍ସ ସମ୍ପର୍କରେ ମହାରଣା ସନ୍ତୋଷଜନକ ଦେଇ ନ ପାରିବାରୁ ତାଙ୍କଠାରୁ ଉଦ୍ଧାର ହୋଇଥିବା ଟଙ୍କା ଏବଂ ତାଙ୍କର ହୁଣ୍ଡାଇ ଆଇ-୨୦ କାର ଜବତ କରିଛି ଭିଜିଲାନ୍ସ। ଏହା ପରେ ଆୟାବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ମହାରଣାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ବିଜିଳାନ୍ସ ସନ୍ଧାନ କରାଯାଉଛି।