fbpx

ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ପ୍ରଭାବ: ଆଇପିଏଲ୍‌ରୁ ଓହରିଲେ ଇଂଲଣ୍ଡର ୩ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାରଣ ଦର୍ଶାଇ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଖେଳିବାକୁ ମନା କରିବା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଦେଶର ଅନେକ ପୁରୁଖା କ୍ରିକେଟର ଏହି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଦଳକୁ ଦୋଷାରୋପ କରିଛନ୍ତି । ତେଣୁ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ବର୍ତ୍ତମାନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଇପିଏଲର ଖେଳିବା ପାଇଁ ବିଭିନ୍ନ ପ୍ରାଞ୍ଚାଇଜ ସହିତ ଅନୁବନ୍ଧିତ ହୋଇଥିବା ଇଂଲଣ୍ଡର ତିନି ଖେଳାଳି ଡାୱଦି ମାଲାନ ,କ୍ରିସ୍‌ ୱକ୍ସ ଓ ଜନ୍ନି ବେୟାରଷ୍ଟୋ ଓହରି ଯାଇଛନ୍ତି । ବେୟାରଷ୍ଟୋ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଆସୁଥିବା ବେଳେ ମାଲାନ ପଞ୍ଜାବ କିଙ୍ଗସ୍‌ ପାଇଁ ଓ କ୍ରିସ୍‌ ୱକ୍ସ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଖେଳାଳି ମାନେ ଆଇପିଏଲ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ସୂଚନା ଯୋଗ୍ୟ ଯେ ଆଇପିଏଲର ଦ୍ୱିତୀୟ ଭାଗ ଖେଳିବା ପାଇଁ ଅନୁବନ୍ଧିତ ଖେଳାଳି ମାନେ ୟୁନାଇଟେଡ ଆରବ ଏମିରେଟ୍ସରେ ପହଞ୍ଚିବା ପରେ ଛଅ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ବିସିସିଆଇ ନିର୍ଦ୍ଦେଶ ଦେଇ ଥିବାରୁ ଇଂଲଣ୍ଡ ଖେଳାଳି ଏହାକୁ ବିରୋଧ କରି ଏପରି ନିଷ୍ପତ୍ତି ନେଇଥିବା ଅନ୍ୟ ଏକ ସୂତ୍ରରୁ ଜଣା ପଡିଛି । ତେଣୁ ପଞ୍ଜାବ କିଙ୍ଗସ୍‌ ମାଲାନଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକାର ମାରକ୍ରାମଙ୍କ ସହିତ ଚୁକ୍ତିବଦ୍ଧ ହୋଇଛି ।

Get real time updates directly on you device, subscribe now.