fbpx

ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ନବୀକରଣ: ଅବଧିକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନବୀକରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧିକୁ ୧ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଏହି ଯୋଜନାର ଅବଧି ସମାପ୍ତ ହେଉଥିବା ବେଳେ ଏବେ ତାହାକୁ ସେପ୍ଟେମ୍ବର ୧ ତାରିଖରୁ ଆସନ୍ତା ବର୍ଷ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପାଇଁ କିଛିଦିନ ତଳେ କାର୍ଯ୍ୟରତ ସାମ୍ବାଦିକମାନେ ଦାବି କରିଥିଲେ । ଅଗଷ୍ଟ ୨୫ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଅନୁବନ୍ଧିତ ଥିବା ବିଭିନ୍ନ ସମ୍ବାଦପତ୍ରର ପ୍ରତିନିଧିମାନେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସାମ୍ବାଦିକଙ୍କ ପାଇଁ ବାର୍ଷିକ ପ୍ରିମିୟମ ବାବଦରେ ୮ କୋଟି ୫୫ ଲକ୍ଷ ୭୬ ହଜାର ୩୧୪ ଟଙ୍କା ଓରିଏଣ୍ଟାଲ ବୀମା କମ୍ପାନୀକୁ ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ଉକ୍ତ ବୀମା କମ୍ପାନୀ ସହ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରାଥମିକ ଭାବେ ଏହି ବୀମା ଯୋଜନାରେ ରାଜ୍ୟର ୭୦୪୧ ଜଣ ସାମ୍ବାଦିକ ଆସନ୍ତା ୧ ବର୍ଷ ପାଇଁ ବୀମାଭୁକ୍ତ ପଞ୍ଜିକୃତ ହୋଇଛନ୍ତି । ଏହି ଯୋଜନାରେ ନୂତନ ଭାବେ ପଞ୍ଜିକୃତ ହେବା ପାଇଁ ଆବେଦନ କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ପୋର୍ଟାଲ ଖୋଲିବ । ଏକ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବଳବତ୍ତର ରହିବ ।

Get real time updates directly on you device, subscribe now.