fbpx

ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: ୪ ଜଣ ଦୁର୍ବୃତ୍ତ ଆସିଲେ, ଖଣ୍ଡା ଓ ଛୁରିରେ ହାଣି ସବୁ ନେଇଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ । ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ସାମ୍ବାଦିକ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସୁନାମୁଦି, ମୋବାଇଲ ଫୋନ ଓ ଟଙ୍କା ହରାଇଛନ୍ତି । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ମୁଣ୍ଡରେ ଖଣ୍ଡା ଲଗାଇବା ସହ ଛୁରୀରେ ଶରୀରକୁ ଆଘାତ କରିଥିଲେ । ତେବେ କ୍ରାଉନ ହୋଟେଲ ସାମ୍ନା କସ୍ତୁରବା ଆଶ୍ରମ ନିକଟରେ ୪ ଜଣ ଲୁଟେରା ସାମ୍ବାଦିକଙ୍କୁ ଏକୁଟିଆ ପାଇ ଏହି କାରନାମା କରିଥିଲେ । ତେବେ ନୂଆପଲ୍ଲୀ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ସମ୍ପୃକ୍ତ ଲୁଟେରାଙ୍କ ଟେର୍ ସୁଦ୍ଧା ପାଇ ନାହିଁ ।

ଜଣାପଡ଼ିଛି ଯେ, ଏକ ଟିଭି ଚ୍ୟାନେଲର ସାମ୍ବାଦିକ ରାତି ୧୧ଟା ସମୟରେ ଅଫିସରୁ ଘରକୁ ବାଇକରେ ଫେରୁଥିଲେ । ହଠାତ୍ କସ୍ତୁରବା ସ୍କୁଲ ନିକଟରେ ୪ ଜଣ ଲୁଟେରା ତାଙ୍କ ବେକରେ ଖଣ୍ଡା ଲଗାଇ କ’ଣ ରଖିଛୁ ଦେଇଦେ ବୋଲି ମାଗିଥିଲେ । ଦୁର୍ବୃତ୍ତମାନେ ତାଙ୍କଠାରୁ ୨ଟି ମୋବାଇଲ ଛଡ଼ାଇ ନେବା ସହ ମୁଦି ଖୋଲିବା ବିଳମ୍ବ ହେବାରୁ ଆଙ୍ଗୁଠିକୁ ହାଣି ଦେଇ ସେ ସ୍ଥାନରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ହେଁ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା । ଏନେଇ ଉକ୍ତ ସାମ୍ବାଦିକ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ ଦାୟର କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ବଢ଼ିବାରେ ଲାଗିଛି । ଲେଟ୍ ନାଇଟର ସୁଯୋଗ ନେଇ ଅପରାଧୀମାନେ ଅଧିକ ସକ୍ରିୟ ହୋଇ ଉଠୁଛନ୍ତି । ତେଣୁ ଏନେଇ ପ୍ରଶାସନ କିଛି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.