fbpx

ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥାନ୍ତେ ସିନ୍ଧିଆ, ମାତ୍ର ଅନ୍ତିମ ମୁହୂର୍ତ୍ତରେ ସବୁ ଖେଳ ବିଗାଡ଼ିଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସମୟ ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଭାବେ ପରିଗଣିତ ହେଉଥିଲେ । ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିନ୍ଧିଆ । ଗୋଟିଏ ପଟେ ସିନ୍ଧିଆ ପ୍ରଚାର ଓ ଅଭିଯାନର ଦାୟିତ୍ୱ ନେଇଥିବା ବେଳେ କମଲ ନାଥ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସିନ୍ଧିଆ ରାହୁଲଙ୍କର ବିଶ୍ୱସ୍ତ ହୋଇଥିବା ବେଳେ କମଲ ସୋନିଆ ଗାନ୍ଧିଙ୍କର ଖାସ୍ ଲୋକ ଥିଲେ । ରାଜ୍ୟ ବିଧାନସଭା ନିର୍ବାଚନ ପରେ ସିନ୍ଧିଆଙ୍କର ଶକ୍ତି ବହୁତ ବଢ଼ିଯାଇଥିଲା । କାରଣ ସେ ଚମ୍ବଲ-ଗ୍ୱାଲିଅରରେ କଂଗ୍ରେସକୁ ୩୪ରୁ ୨୬ଟି ସିଟରେ ବିଜୟ କରାଇବାରେ ସକ୍ଷମ ହୋଇଥିଲେ । ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠ ହାସଲ କରିବା ସହ ରାହୁଲଙ୍କର ସହ ଘନିଷ୍ଠତାକୁ ହେତୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଧିଆ ଶପଥ ଗ୍ରହଣ କରିବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଥିଲା ।
ଠିକ୍ ଏହି ସମୟରେ ସବୁ ଖେଳ ବିଗାଡ଼ି ଦେଇଥିଲେ କମଲ ନାଥ ଓ ଦିଗବିଜୟ ସିଂହ । ରାଘୋଗଡ଼ ସିଟରୁ ଜିତିଥିବା ଦିଗବିଜୟଙ୍କ ପୁତ୍ର ଜୟବର୍ଦ୍ଧନଙ୍କୁ ବଧାଇ ଦେବା ପାଇଁ ୩୧ ଜଣ ବିଧାୟକ ତାଙ୍କ ବାସଭବନକୁ ଯାଇଥିବା ନେଇ ଦିଗବିଜୟ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ ମାଧ୍ୟମରେ ଦିଗବିଜୟ ହାଇକମାଣ୍ଡଙ୍କୁ ପରୋକ୍ଷ ଭାବେ ଜଣାଇ ଦେବାକୁ ଚାହିଁଥିଲେ ଯେ, ଯଦି ସିନ୍ଧିଆଙ୍କ ପାଖରେ ୨୬ ଜଣ ବିଧାୟକଙ୍କ ସମର୍ଥନ ରହିଛି, ତେବେ ତାଙ୍କ ପାଖରେ ମଧ୍ୟ ୩୧ ଜଣ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି । ଏହାପରେ ଦିଗବିଜୟ ତାଙ୍କର ସମର୍ଥିତ ବିଧାୟକଙ୍କୁ କମଲଙ୍କ ପକ୍ଷରେ ଛିଡ଼ା କରାଇ ଦେଇଥିଲେ । ଏହିପରି ଭାବେ ମୋଟ ୮୦ରୁ ଅଧିକ ବିଧାୟକ କମଲଙ୍କୁ ସମର୍ଥନ କରୁଥିବା ଦିଗବିଜୟ ଦର୍ଶାଇଥିଲେ । ଫଳରେ ହାଇକମାଣ୍ଡଙ୍କୁ ରାଜ୍ୟର ଶୀର୍ଷ ଆସନ ପାଇଁ ପୁଣି ଥରେ ମାନସ ମନ୍ଥନ କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଉଭୟ  କମଲ ଓ ସିନ୍ଧିଆ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥିଲେ । ଶେଷରେ କମଲ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ଘଟଣା ସିନ୍ଧିଆଙ୍କୁ ଖୁବ୍ ବାଧିଥିଲା ଓ ସେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ହୃଦୟଙ୍ଗମ କରିପାରିଥିଲେ । ପ୍ରାୟ ୧୫ ମାସ ପରେ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ଫଳରେ କମଲଙ୍କ ସରକାରର ପତନ ଘଟିବା ସହ ବିଜେପି ପୁଣି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ବର୍ତ୍ତମାନ ସିନ୍ଧିଆ ବିଜେପିରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

Get real time updates directly on you device, subscribe now.