fbpx

ଓଡ଼ିଶାର ଏହି ଜିଲ୍ଲାର ଚାଷୀଙ୍କୁ ଖରିଫ ଋତୁ ପାଇଁ ଦିଆଗଲା କାଳିଆ ସହାୟତା ରାଶି

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା ।

ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ସେହିଭଳି ୧୮ ଲକ୍ଷରୁ ଊଦ୍ଧ୍ୱର୍ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି ।

ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି । ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.