ନଭେମ୍ବର ୮ରୁ ଆରମ୍ଭ ହେବ ୨୭ତମ କଳିଙ୍ଗ ପୁସ୍ତକ ମେଳା: ଯୋଗଦେବେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପୁସ୍ତକପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତାମାସ ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୭ତମ କଳିଙ୍ଗ ପୁସ୍ତକ ମେଳା । ଏହି ଅବସରରେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା ଯୋଗଦେବେ । ନଭେମ୍ବର ୮ରୁ ଆରମ୍ଭ ହୋଇ ଏହି ପୁସ୍ତକ ମେଳା ନଭେମ୍ବର ୧୭ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଓ ଦେଶର ଶତାଧିକ ପ୍ରକାଶନୀ ସଂସ୍ଥା ସେମାନଙ୍କର ପ୍ରକାଶିତ ପୁସ୍ତକକୁ ପ୍ରଦର୍ଶିତ କରିବେ । ଏହି ମେଳାରେ ବହୁସଂଖ୍ୟାରେ ପୁସ୍ତକ ବିତରକ, ବିକ୍ରେତା ଓ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ଅନୁଷ୍ଠାନ ସାମିଲ ହେବେ ବୋଲି ମେଳା କମିଟି ତରଫରୁ ସୂଚନା ଦିଆଯାଇଛି ।

ଚଳିତ କଳିଙ୍ଗ ପୁସ୍ତକ ମେଳାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ଗତ ୨୫ ତାରିଖ ଠାରୁ ପୁସ୍ତକମେଳା କାର୍ଯ୍ୟାଳୟ ଠାରେ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଲେଖକ, ବୁଦ୍ଧିଜୀବୀ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ସାରସ୍ୱତ ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ବହୁସଂଖ୍ୟାରେ ଏହି ମେଳାରେ ଯୋଗଦେବେ । ଏଥର ଓଡ଼ିଆ ସାହିତ୍ୟର ୧୦ଟି ଶ୍ରେଷ୍ଠ ବିବେଚିତ ପୁସ୍ତକକୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ ବୋଲି କମିଟତ ପକ୍ଷରୁ କୁହାଯାଇଛି ।