ଭୁବନେଶ୍ୱରରେ କଳକୀ ଅବତାର… ବଦଳିଗଲା ବୟାନ୍: କୁଆଡ଼େ ଗଲେ ଜୁନିୟର ସାରଥୀ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚହଳ ପକାଇଛନ୍ତି ‘ଖଣ୍ଡଗିରିର କଳକୀ ଅବତାର’ । ପାଦରେ ତୁଳସୀ, ଭଗବତ୍ ଗୀତା ସାଙ୍ଗକୁ ନିଜକୁ କଳକୀ ଅବତାର ବୋଲି କହୁଥିଲେ କୁନିବାବା । କିନ୍ତୁ ଏବେ ଖାଁ ଖାଁ ଲାଗୁଛି ଖଣ୍ଡଗିରିର ବୈକୁଣ୍ଠନାଥ ଧାମ ଆଶ୍ରମ, ନାହାନ୍ତି କୁନି ବାବା । ସେପଟେ ମାମଲା ରୁଜୁ ପରେ ବାବାଙ୍କୁ ନେଇ ବଦଳିଯାଇଛି ବୟାନ । ବାପା କହୁଛନ୍ତି ମୋ ପୁଅ ଠାକୁର ନୁହେଁ । ପୁଅକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବାବା କାଶୀନାଥ । ୪ ମିନିଟର ଏକ ଭିଡିଓ ଜାରି କରି ବାବା ସ୍ପଷ୍ଟ ସୂଚନା ଦେଇଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ବଦନାମ କରିବାକୁ ଏମିତି ଷଡ଼ଯନ୍ତ୍ର କରୁଥିବା ବାବା ସୂଚନା ଦେଇଛନ୍ତି ।

ପୁଅକୁ ନେଇ ବିବାଦ ବଢିବା ପରେ ଏକ ଭିଡିଓ ଜରିଆରେ ସ୍ପଷ୍ଟ ସୂଚନା ଦେଇଛନ୍ତି ବାବା କାଶୀନାଥ ମିଶ୍ର । ପାଦ ତଳେ ତୁଳସୀ ଥିବା ମାମଲାକୁ ନେଇ ମଧ୍ୟ ବାପା ସୂଚନା ଦେଇଛନ୍ତି । ଭାଇରାଲ ହେଉଥିବା ଫଟୋ ୧୦ ବର୍ଷ ପୁରୁଣା ବୋଲି ସେ ପ୍ରକାଶ କରିଛନ୍ତି । ପୁଅକୁ ୫ ବର୍ଷ ହୋଇଥିବା ବେଳେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା । ଏହା ସେହି ସମୟର ଫଟୋ ବୋଲି କୁହାଯାଉଥିଲା । ଯେଉଁଥିରେ ପାଦ ତଳେ ତୁଳସୀ ଅଛି, ସେଥିରେ କାଶୀନାଥ କିମ୍ବା ତାଙ୍କ ପତ୍ନୀ ନଥିବା ସେ ଯୁକ୍ତି ବାଢିଛନ୍ତି । ତେବେ କିଛି କୁଚକ୍ରୀ ଗୋଷ୍ଠୀ ଏଥିପାଇଁ ଚକ୍ରାନ୍ତ କରିଛନ୍ତି, ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା କହୁଛନ୍ତି କାଶୀନାଥ ମିଶ୍ର ।

ଏହାପରେ ସେ କହିଛନ୍ତି ଯେ, ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ କି ପ୍ରଚାର କରିନାହିଁ । ଫଟୋରେ ମଧ୍ୟ କୌଣସି ଭୁଲ ନାହିଁ, ତୁଳସୀ ଫଟୋ ଉଠାଇ ଚକ୍ରାନ୍ତ ହେଉଥିବା ସୂଚନା ଦେଇଛନ୍ତି କାଶୀନାଥ ମିଶ୍ର । ତେବେ ବର୍ତ୍ତମାନ ସେ ଆଶ୍ରମରେ ନଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ସେ ଏବେ ବି ଓଡ଼ିଶାରେ ହିଁ ଅଛନ୍ତି । କିନ୍ତୁ ଏହି ମାମଲା ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛି ବୋଲି କହୁଥିବା କାଶୀନାଥ ବାବାଙ୍କ ପୁଅର ପାଦ ତଳେ ତୁଳସୀ ସହିତ ଭଗବତ୍ ଗୀତା ରଖିବା ମାମଲାକୁ ନେଇ ଛାନଭିନ୍ କରୁଛି ପୋଲିସ ।

ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ଶିଶୁ ଆୟୋଗ । ପ୍ୟାଣ୍ଟ ସାର୍ଟ ପିନ୍ଧି ଏକ ଚେୟାରରେ ବସିଥିବା ନାବାଳକର ପାଦ ତଳେ ତୁଳସୀ ରକି ତାଙ୍କୁ ପୂଜା କରାଯାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବାଳକ ଜଣକ ଭଗବାନ ଅନନ୍ତ ମାଧବଙ୍କ ଅବତାର ଏବଂ କଳକୀ ଅବତାର ବୋଲି ଆଖ୍ୟା ଦିଆଯାଉଛି । ସେହିପରି କେନ୍ଦ୍ରପଡ଼ାର ବାବା ସାରଥୀ ମଧ୍ୟ ପାଦ ତଳେ ତୁଳସୀ ରଖିଥିବା ବେଳେ ଫଟୋରେ ଥିବା ବାଳକକୁ ଜୁନିୟର ସାରଥୀ ବୋଲି କହୁଛନ୍ତି ଲୋକେ । ବିଭିନ୍ନ ସଂଘ ଏବଂ ସଂଗଠନ ପକ୍ଷରୁ ଏ ନେଇ ବିରୋଧ କରିବା ସହ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ଏହି ଆଶ୍ରମରେ ପହଞ୍ଚତ ଖୋଳତାଡ଼ ଆରମ୍ଭ କରିଛି ।