fbpx

ସିନ୍ଧିଆଙ୍କ ପୁରୁଣା ହିସାବ ବରାବର କରିବା ଲକ୍ଷ୍ୟରେ ରହିଛନ୍ତି କମଲ ନାଥ, ହାଇକମାଣ୍ଡଙ୍କୁ ଦେଲେ ନୂଆ ଅଫର୍

ନୂଆଦିଲ୍ଲୀ: ଦିନ ଥିଲା କମଲ ନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ । ମାତ୍ର ଅଳ୍ପଦିନ ମଧ୍ୟରେ ତାଙ୍କର ସେଇ ରାଜଗାଦି ଭୁଶୁଡ଼ି ପଡ଼ିଥିଲା । କଂଗ୍ରେସରେ ମନ ମୁତାବକ ପଦ ନ ମଳିବା ଓ କଣଠେସା ହେବା କାରଣରୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ । ସେ ସମୟରେ ସିନ୍ଧିଆ ନିଜେ ଯିବା ସହିତ ନିଜର ସମସ୍ତ ଅନୁଗତମାନଙ୍କୁ ସାଥିରେ ନେଇ ଚାଲିଯାଇଥିଲେ । ସିନ୍ଧିଆଙ୍କ ଅନୁଗତ ବିଧାୟକମାନେ ବିଜେପିକୁ ସମର୍ଥନ କରିବା କାରଣରୁ ଦଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା ଓ ଶିବରାଜ ସିଂହ ଚୌହାନ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ସେ ଯାହା ବି ହେଉ, କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସିନ୍ଧିଆ ।

ବିଗତ କିଛି ଦିନ ହେଲା କମଲଙ୍କ ଦିଲ୍ଲୀ ସିଫ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ସେ ଦିଲ୍ଲୀ ଯିବାକୁ ରାଜି ହେଉନାହାନ୍ତି । ଯଦି ସେ ଦିଲ୍ଲୀ ଚାଲିଯିବେ, ତେବେ ମଧ୍ୟପ୍ରଦେଶ ତାଙ୍କ ହାତରୁ ଖସିଯିବ । କମଲ କୌଣସି ପ୍ରକାରେ ପୁନର୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସିନ୍ଧିଆଙ୍କ ସହ ପୁରୁଣା ହିସାବ ବରାବର କହିବା ଲକ୍ଷ୍ୟରେ ରହିଛନ୍ତି । ଯେତେବେଳେ କମଲଙ୍କୁ ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା, ସେତେବେଳେ ସେ ହାଇକମାଣ୍ଡଙ୍କ ଆଗରେ ନୂଆ ଅଫର ଉପସ୍ଥାପନ କରିଥିଲେ । ଜଣାପଡ଼ିଛି ଯେ, କମଲ ଏକ ନୂଆ ଭୂମିକାରେ ରହିବାକୁ ଚାହାନ୍ତି, ଯାହା ମାଧ୍ୟମରେ ସେ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ସକ୍ରିୟ ରହିପାରିବେ । ଯେଉଁ ହିନ୍ଦି ରାଜ୍ୟଗୁଡ଼ିକରେ କଂଗ୍ରେସର ସ୍ଥିତି ଦୁର୍ବଳ, ସେ ଉକ୍ତ ପ୍ରଦେଶଗୁଡ଼ିକର ଦାୟିତ୍ୱ ନେବାକୁ ଚାହାନ୍ତି । କମଲଙ୍କର ରାଜନୈତିକ ଅନୁଭବ ଓ ଅନ୍ୟ ଦଳଗୁଡ଼ିକ ସହ ତାଙ୍କର ଘନିଷ୍ଠ ସମ୍ବନ୍ଧକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ସେ ସମସ୍ତ ଦଳସହିତ ସୁବୁଝାମଣା କରିପାରିବେ । ତେବେ କମଲଙ୍କର ଏହି ନୂଆ ପ୍ରସ୍ତାବକୁ ହାଇକମାଣ୍ଡ କିପରି ଗ୍ରହଣ କରିବ, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.