fbpx

ତାଣ୍ଡବ ରଚିଲା କରମଣ୍ଡଳ ଏକ୍ସପ୍ରେସ: ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଘଟଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି । ଏସଆରସିଙ୍କ ତଥ୍ୟ ଆଧାରରେ ସୂଚନା ଦେଲେ ମୁଖ୍ୟ ସଚିବ ଏହା ଜଣାଇଛନ୍ତି । ଏହା ସହ ଏଥିରେ ୯୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଓଡିଶା ଇତିହାସରେ ସବୁଠୁ ବଡ ହୋଇଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଅନ୍ୟପଟେ ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ମୃତଦେହ ଚିହ୍ନଟ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହା ସହ ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି । ନିର୍ଦ୍ଧିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି । ସମ୍ପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ସଚିବ ।

ଉଲ୍ଲେଖଯୋଗ୍ୟ ଯେ, ଏହି ଭୟାଭୟ ଦୁର୍ଘଟଣାକୁ ନଜରରେ ରଖି ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ ଘୋଷଣା କରିଛନ୍ତି । ତେବେ ଘଟଣାର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯିବେ । ସେହିଭଳି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି । ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Get real time updates directly on you device, subscribe now.