fbpx

Video: ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡ଼ି ,ଏହି ସ୍ୱାଦିଷ୍ଟ କରଡିକୁ ନେଇ ବଜାରରେ ବଢୁଛି ଭିଡ

କଳାହାଣ୍ଡି: କରଡ଼ି, ନାଁ ଟି ଶୁଣିବାକୁ ଯେମିତି ସେଥିରୁ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ମଧ୍ୟ ସେମିତି ନିଆରା । ଏହି ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ । ଆଉ ଏବେ କଳାହାଣ୍ଡି ବଜାରରେ ଚାଲିଛି କରଡିର ରାଜୁତି । ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁନାହିଁ । ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି।

ଘଞ୍ଚ ଜଙ୍ଗଲ ଭରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ । ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀ ମାନେ ଉପଯୁକ୍ତ କରଡିକୁ ଠାବ କରି, ବାଉଁଶରୁ ତାକୁ ତୋଳି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇଥାନ୍ତି । ବଜାରରେ ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକାରୀ କେତୋଟି କରଡ଼ିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି, ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ରରେ ପ୍ରସ୍ତୁତ ଦନାରେ ବିକ୍ରି କରନ୍ତି । ତେବେ ଗୃହିଣୀଙ୍କ ପସନ୍ଦ ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର ଭଳି ୪୦ ରୁ ଉର୍ଦ୍ଧ୍ୱ ରକମର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାର ସ୍ୱାଦ ମଧ୍ୟ ବେଶ ନିଆରା ।

କରଡିକୁ ନେଇ ଭଳିକି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁଁ ଏହାର ଚାହିଦା ବଜାର ରେ ଅଧିକ ରହିଥାଏ । ବର୍ଷର କେବଳ ୩ମାସ ଏହା ମିଳୁଥିବା ଯୋଗୁଁ ଲୋକେ କରଡିର ଆଗମନକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି ।

Get real time updates directly on you device, subscribe now.