ରେଳ ମନ୍ତ୍ରଣାଳୟର ଯୋଜନା: ଓଡ଼ିଶାର ରେଳ ଧାରଣାରେ ଲାଗିବ ‘କବଚ’ ସିଷ୍ଟମ, ଦୁର୍ଘଟଣାରୁ ସୁରକ୍ଷା ପାଇବେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ବିକଳାଙ୍ଗ ହୋଇଯାଇଥିଲେ । ଦେଶର ଅନ୍ୟତମ ବୃହତ୍ ରେଳ ଦୁର୍ଘଟଣା ପରେ ‘କବଚ’ ସିଷ୍ଟମକୁ ନେଇ ବେଶି ଚର୍ଚ୍ଚା ହୋଇଥିଲା । ଯଦି ‘କବଚ’ ସିଷ୍ଟମ ପୂର୍ବରୁ ଲାଗିଥାନ୍ତା, ତେବେ ଯାତ୍ରୀଙ୍କ ଜୀବନ ସହଜରେ ବଞ୍ଚି ପାରିଥାନ୍ତା ବୋଲି ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଥିଲା । ଦେଶର ସମସ୍ତ ରେଲ ଲାଇନରେ ‘କବଚ’ ପ୍ରଣାଳୀ ଲାଗୁ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା ।

ତେବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟୁଥିବା ବେଳେ ରେଳ ବିଭାଗର ‘କବଚ’ ବ୍ୟବସ୍ଥା ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହେବ । ସେଥିପାଇଁ ୨୦୩୦ ମସିହା ସୁଦ୍ଧା ସମସ୍ତ ରେଳ, ଟ୍ରାକ, ସାଙ୍କେତିକ ପ୍ରମାଣୀ ଓ ସାଙ୍କେତିକ ନିୟନ୍ତ୍ରଣ କକ୍ଷରେ କବଚ ସଂଯୋଗ ସମ୍ପୂର୍ଣ୍ଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ରେଳ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି । ଭଦ୍ରକର ରାଣୀତାଲରୁ ଆନ୍ଧ୍ରପ୍ରଦେଶର ଦୁଭାଡା (ବିଶାଖାପଟନମ) ମଧ୍ୟରେ ରେଳ ଧାରଣାରେ ‘କବଚ’ ଲାଗିବ । ୫୯୫ କିମି ଏହି ରେଳ ଲାଇନରେ ଉନ୍ନତ କବଚ ପ୍ରଣାଳୀ ସ୍ଥାପନ ନେଇ ଯୋଜନା କରିଛି ପୂର୍ବତନ ରେଳପଥ । ଏହା ହାୱଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏଥିପାଇଁ ସର୍ଭେ, ଡିଜାଇନ, ଯୋଗାଯୋଗ, ପରୀକ୍ଷା ଆଦି ଆନୁଷଙ୍ଗିକ କାର୍ଯ୍ୟ ହେବ । ସେଥିପାଇଁ ପାଖାପାଖି ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କବଚ କାର୍ଯ୍ୟ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।