fbpx

ସିସୋଦିଆଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି କେଜ୍ରିୱାଲ: BJP ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ରହିଛନ୍ତି । ଏହି ମାମଲାକୁ ନେଇ ସାରା ଭାରତବର୍ଷରେ ବିରୋଧୀ ଦଳମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏପରିକି କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳର ୯ ଜଣ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

ତେବେ ଏହା ମଧ୍ୟରେ ଏହି ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ବୟାନ ଦେଇଛନ୍ତି । କେଜ୍ରିୱାଲଙ୍କ ରହସ୍ୟର ଖୁଲାସାକୁ ରୋକିବା ପାଇଁ ସିସୋଦିଆଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ମନୋଜ ପ୍ରଶ୍ନ କରିଛନ୍ତି । ସିସୋଦିଆଙ୍କ ପ୍ରତି ବିଜେପି ତରଫରୁ ବିପଦ ରହିଥିବା ନେଇ ଧାରଣା ସୃଷ୍ଟି କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଏହା ପୂର୍ବରୁ ଜେଲ ମଧ୍ୟରେ ସିସୋଦିଆଙ୍କୁ ହତ୍ୟା ନେଇ ଆଶଙ୍କା ବ୍ୟକ୍ତ କରିଥିଲା ଆପ । ଆପ ପ୍ରବକ୍ତା ସୌରଭ ଭରଦ୍ୱାଜ ବିଜେପିକୁ ଟାର୍ଗେଟ କରି କହିଥିଲେ, ସିସୋଦିଆଙ୍କୁ ଜେଲ ପଠାଇବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ସିସୋଦିଆଙ୍କୁ ତିହାର ଜେଲ ନମ୍ବର ୧ରେ ରଖାଯାଇଛି । ସେଠାରେ ହିଂସ୍ରକ ଓ ଭୟଙ୍କର ଅପରାଧୀଙ୍କୁ ରଖାଯାଇଥାଏ । ଏପରିକି ସେହି ସ୍ଥାନରେ ଅପରାଧୀଙ୍କ ଇସାରାରେ କାହାକୁ ବି ହତ୍ୟା କରାଯାଇପାରେ । ଏହି ବୟାନ ପରେ ବିଜେପି ପାଲଟା ଜବାବ ଦେଇଥିଲା ।

Get real time updates directly on you device, subscribe now.