ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ମାମଲାରେ ଜାମିନ୍ ପାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନୀ ପ୍ରଚାର କରିବା ପାଇଁ ଆମ୍ ଆଦମୀ ପାର୍ଟିର ମୁଖିଆଙ୍କ ଅନ୍ତରୀଣ ଜାମିନକୁ ସ୍ୱୀକାର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଗତକାଲି ତିହାର ଜେଲରୁ ମୁକୁଳି ଘରକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ପରିବାର ଲୋକଙ୍କ ସହ ଦଳର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଜେଲରୁ ବାହାରିବା ପରେ ମଧ୍ୟ କିଛି ସର୍ତ୍ତ ପାଳନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ । ଜାମିନ୍ ମିଳିଥିଲେ ବି କିଛିଟା କାର୍ଯ୍ୟ କରିବା ପାଇଁ କେଜ୍ରିୱାଲଙ୍କୁ ବାରଣ କରିଛନ୍ତି ସୁପ୍ରିମକୋର୍ଟ ।
ଜେଲ ବାହାରେ ଥିବା ବେଳେ କେଜ୍ରିୱାଲଙ୍କୁ ୪ଟି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜାମିନରେ ଜେଲରୁ ପେରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇ ପାରିବେ ନାହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହିତ ସଚିବାଳୟ ଯିବା ପାଇଁ ମଧ୍ୟ ତାଙ୍କୁ ବାରଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କୌଣସି ସରକାରୀ ଦସ୍ତାବିଜରେ ଦସ୍ତଖତ କରିପାରିବେ ନାହିଁ । ତେବେ ଯଦି କୌଣସି ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ନିହାତି ଆବଶ୍ୟକ ବୋଲି ଉପରାଜ୍ୟପାଳଙ୍କୁ ଅନୁଭବ ହୁଏ, ତେବେ ମୁଖ୍ୟମନ୍ତ୍ରୀ ଏଥିରେ ଦସ୍ତଖତ ଦେଇପାରିବେ । ଅର୍ଥାତ୍ ଉପରାଜ୍ୟପାଳଙ୍କ ଅନୁମତିରେ ହିଁ କେଜ୍ରିୱାଲ ଦସ୍ତାବିଜରେ ସାଇନ୍ କରିପାରିବେ । ଏହାବ୍ୟତୀତ ସେ ନିରସ୍ତ୍ର ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ମାମଲାର କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅରବିନ୍ଦ କେଜ୍ରିୱାଲ ଫେରିବା ପରେ ଆମ୍ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାର ଅଭିଯାନ ଆହୁରି ଶକ୍ତିଶାଳୀ ହୋଇଛି । ତେବେ ଆସିବା ମାତ୍ରେ ସଙ୍ଗେ ସଙ୍ଗେ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯଥାସମ୍ଭବ ସେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ । ତେବେ ଏଥିପାଇଁ ୨୦ ଦିନରେ ୧୮ଟି ସ୍ଥାନ ବାକି ରହିଛି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତରେ ରହି ନିର୍ବାଚନୀ ପ୍ରଚାର କରିବାକୁ ଚାହିଁବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।