fbpx

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଶାରୁ ୪ ଜଣଙ୍କୁ ଏକାଡେମୀ ଓ ୩ ଜଣଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ: ୨୦୧୯, ୨୦୨୦ ଓ ୨୦୨୧ ତିନି ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏଥିସହିତ ୩ ବର୍ଷ ପାଇଁ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ମଧ୍ୟ ଘୋଷଣା ହୋଇଛି । ତେବେ ଓଡ଼ିଶାରୁ ୪ ଜଣ ଏକାଡେମୀ ପୁରସ୍କାର ଓ ୩ ଜଣ ଯୁବ ପୁରସ୍କାର ପାଇବା ନେଇ ମନୋନୀତ ହୋଇଛନ୍ତି । ଏନେଇ ଏକାଡେମୀ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ମୋଟ ୧୨୮ ଜଣ ଏକାଡେମୀ ପୁରସ୍କାର ପାଇବା ନେଇ ଘୋଷଣା କରାଯାଇଛି । ସଙ୍ଗୀତ, ଡ୍ୟାନ୍ସ, ଥିଏଟର, ପାରମ୍ପରିକ / ଲୋକ / ଆଦିବାସୀ ସଙ୍ଗୀତ / ଡ୍ୟାନ୍ସ / ଥିଏଟର ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ଏଥିସହିତ ଏକାଡେମୀର ସାଧାରଣ ପରିଷଦ ତରଫରୁ କଳା ପ୍ରଦର୍ଶନ କ୍ଷେତ୍ରର ୧୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏକାଡେମୀ ଫେଲୋ ଭାବେ ମନୋନୀତ କରାଯାଇଛି ।

ଏକାଡେମୀ ପୁରସ୍କାର ବିଜେତାମାନଙ୍କୁ ୧ ଲକ୍ଷ, ଏକାଡେମୀ ଫେଲୋଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହିତ ତାମ୍ରପାତ୍ର ଓ ଅଙ୍ଗବସ୍ତ୍ର ଦିଆଯିବ । ୩ ବର୍ଷ ପାଇଁ ୪୦ ବର୍ଷରୁ କମ୍ ବୟସର ୧୦୨ ଜଣ କଳାକାରଙ୍କୁ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । ଏହି ପ୍ରତିଭାମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

୨୦୨୨ ମସିହା ପାଇଁ ପ୍ରଥମ ଓ ଗୋଟିଏ ଥର ପାଇଁ ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତା ପୁରସ୍କାର-୨୦୨୨ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରୁ ୪ ଜଣ ମନୋନୀତ ହୋଇଛନ୍ତି । ୨୦୨୧ ମସିହା ପାଇଁ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସସ୍ମିତା ଦାସ, ନୃତ୍ୟ ପାଇଁ ପ୍ରତିଷ୍ଠିତ ଗୁରୁ ତଥା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଏହି ପୁରସ୍କାର ପାଇବେ । ୨୦୨୦ ମସିହା ପାଇଁ ଛଉ ନୃତ୍ୟରେ ତ୍ରିଲୋଚନ ମହାନ୍ତ ଏକାଡେମୀ ପୁରସ୍କାର ପାଇବେ । ସେହିପରି ଯୁବ ପୁରସ୍କାରରେ ୨୦୧୯ ମସିହା ପାଇଁ ପାରମ୍ପରିକ ନାଟକ-ପ୍ରହଲ୍ଲାଦ ନାଟକ ପାଇଁ ସନ୍ତୋଷ କୁମାର ରଣା, ୨୦୨୦ ମସିହା ପାଇଁ ଓଡ଼ିଶୀ ସଙ୍ଗୀତ ପାଇଁ ରୂପକ କୁମାର ପରିଡ଼ା ଓ ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି ।

Get real time updates directly on you device, subscribe now.