(Breaking) ଭୁବନେଶ୍ବରରୁ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା

ଭୁବନେଶ୍ବର- ଉଦ୍ଧାର ହେଲେ ଅପହୃତା ଯୁବତୀ । ଉଦ୍ଧାର ପରେ ଯୁବତୀଙ୍କୁ ଚାଲିଛି ପଚରା ଉଚରା । ଅପହରଣ ଉଦ୍ଦେଶ୍ୟ ଜାଣିବା ପାଇଁ ଏକ ମହିଳା ପୋଲିସ ଟିମ୍ କରୁଛି ପଚରାଉଚରା । ଯୁବତୀଙ୍କୁ ମୈତ୍ରୀ ବିହାର ଥାନାରେ ପଚରାଉଚରା କରାଯାଉଛି । ଭୁବନେଶ୍ବର ଭିତରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ସୂଚନା ।

ପ୍ରେମିକର ସୂଚନା ଆଧାରରେ ପୋଲିସ ପ୍ରେମିକାକୁ ନେଇ କାର ଯାଇଥିବା ଦିଗରେ ଯାଇଥିଲା । ବରମୁଣ୍ଡା ନିକଟରେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଛାଡି ଚାଲିଯାଇଥିଲେ । ତେବେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ମୈତ୍ରୀ ବିହାର ଥାନାକୁ ଆଣିଛି । ତାଙ୍କୁ ଘଟଣା ସମ୍ପର୍କରେ ପଚାରୁଛି । କେଉଁମାନେ ଅପହରଣ କରିଥିଲେ, ଏହା ପଛରେ କିଛି କାରଣ ରହିଛି କି ଆଦି ବିଭିନ୍ନ ପ୍ରଶ୍ନ କରୁଛି ପୋଲିସ । କିନ୍ତୁ ଘଟଣାରେ ଯୁବତୀ ଅତ୍ୟନ୍ତ ଡରିଯାଇଥିବାରୁ କିଛି ଉତ୍ତର ଦେଇ ପାରୁନଥିବା ସୂଚନା ରହିଛି । ଯୁବତୀଙ୍କୁ ସାମାନ୍ୟ ସ୍ବାଭାବିକ କରିବାକୁ ଜଣେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ରହିଛି।

ଘଟଣାକୁ ନେଇ ସେମିତି ଅଧିକ କିଛି ସୂଚନା ମିଳି ନାହିଁ । ସେପଟେ ପୋଲିସ ଲୁମ୍ବିନୀ ବିହାରରୁ ବରମୁଣ୍ଡା ରୁଟର ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିଛି ।

ଗତ ରାତିରେ ରାଜଧାନୀର ଲୁମ୍ବିନି ବିହାର ଅଞ୍ଚଳରୁ ଯୁବତୀଙ୍କୁ ଉଠେଇ ନେଇଥିଲେ ଦୁର୍ବୃତ୍ତମାନେ । ପ୍ରେମିକା ଓ ପ୍ରେମିକ ବାଇକରେ ଯାଉଥିବାବେଳେ ହଠାତ୍ କାରରେ କିଛି ଲୋକ ସେମାନଙ୍କୁ ଅଟକେଇଥିଲେ । ସେମାନେ ବାଇକ ଅଟକାଇବା ପରେ କାରରୁ ଦୁର୍ବୃତ୍ତମାନେ ବାହାରି  ପ୍ରେମିକଙ୍କୁ ମାଡ଼ମାରି ପ୍ରେମିକାଙ୍କୁ ଜୋର ଜବରଦସ୍ତ କାରରେ ବସେଇ ନେଇଯାଇଥିଲେ । ଘଟଣାର ସୂଚନା ପାଇବା ପରେ ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଥାନାରେ ଏ ନେଇ ଅଭିଯୋଗ ହେବାସହ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରୁଥିଲା ପୋଲିସ ।