fbpx
BJD SKY
BJD SKY

ନଦୀ, ପୋଖରୀ, ପାଇପ୍ ପାଣି ପାଲଟିଛି ବିଷ: ନୟାଗଡ଼ରେ ବଢ଼ୁଛି କିଡନୀ ରୋଗ, ଫ୍ଲୋରାଇଡ୍ ପାଣି ନେଇ ଯାଉଛି ଜୀବନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ କିଡନୀ ରୋଗ ବଢ଼ିବାରେ ଲାଗିଛି । ଜଳରେ ମାତ୍ରାଧିକ ମାତ୍ରାରେ ଫ୍ଲୋରାଇଡ ରହିଥିବା କାରଣରୁ ତାହା ସେବନ କରି ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ପୂର୍ବରୁ ରାଜ୍ୟର ଏକାଧିକ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଛି । ତେବେ ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଗୋତିସାହି ପଞ୍ଚାୟତର ଅନେକ ଲୋକ ଫ୍ଲୋରାଇଡ ଯୁକ୍ତ ଜଳ ବ୍ୟବହାର ପରି ମୃତ୍ୟୁମୁଖରେ ପଡ଼ୁଛନ୍ତି । କୂଳ, ନଳକୂପ, ପୋଖରୀ ଓ ସପ୍ଲାଏ ପାଣିରେ ମାତ୍ରାଧିକ ମାତ୍ରାରେ ଫ୍ଲୋରାଇଡ୍ ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି କାରଣରୁ ୧୫ ଜଣ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଏବେ ବି ଅନେକ ଶଯ୍ୟାଶାୟୀ ରହିଛନ୍ତି । ଏହି ଜଳ ବ୍ୟବହାର କରିବା ଫଳରେ ଅଳ୍ପ ବୟସରେ ଲୋକମାନେ ଅସୁସ୍ଥ ହୋଇ ପଡ଼ୁଥିବା ଦେଖାଯାଉଛି ।

୧୦ ଲିଟର ପାଣି ସିଝାଇଲେ ସେଥିରେ ୨୦୦ ଗ୍ରାମର ଫ୍ଲୋରାଇଡ ରହିଥିବା ଗାଁଲୋକେ କହିଛନ୍ତି । ତେବେ ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏହି ସମସ୍ୟା ଆଜିର ନୁହେଁ ଗତ ୧୦-୧୫ ବର୍ଷ ଧରି ପାଣିରେ ଫ୍ଲୋରାଇଡ୍ ଭାସୁଛି । ପୂର୍ବରୁ ପ୍ରଶାସନ ତରଫରୁ ଏକାଧିକ ଥର ପରୀକ୍ଷା କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଫ୍ଲୋରାଇଡ କାରଣରୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୨୦୧୫ରୁ ୨୦୨୦ ମଧ୍ୟରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିଲା । ତେଣୁ ଲୋକମାନେ ଭୟରେ ଗାଁ ଛାଡ଼ି ପଳାୟନ କରୁଥିବା ନେଇ ଚଳିତ ମାସ ପ୍ରାରମ୍ଭରେ ଜଣାପଡ଼ିଥିଲ । ସେହିପରି କେନ୍ଦୁଝର ଜିଲ୍ଲାରେ ବର୍ଷକ ମଧ୍ୟରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗତ ମାସରେ ଜଣାପଡ଼ିଥିଲା । ନଦୀ, ନଳକୂପ ଓ ପାଇପ୍ ପାଣି ସେବନ କରିବା ଫଳରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ଲୋକଙ୍କ ଠାରେ ଦାନ୍ତ ନଷ୍ଟ, ହାଡ଼ ବଙ୍କା, ପେଟ ରୋଗ, କିଡନୀ ରୋଗ ବ୍ୟାପୁଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.