fbpx

ମଣିପୁର ହିଂସାକାଣ୍ଡ ନେଇଛି ୬୦ ଜଣଙ୍କ ଜୀବନ: ୨୩୧ ଜଣ ଆହତ, ୧୭୦୦ ଘର ଜଳିଯାଇଛି, ମୁଖ୍ୟମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ମଣିପୁରରେ ଦେଖାଦେଇଥିବା ହିଂସା ସାରା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ମୃତାହତ ହେବା ସହ ଶହ ଶହ ଘରଦ୍ୱାର ଜଳିପୋଡ଼ି ଭସ୍ମ ହୋଇ ଯାଇଛି । ଏଥିସହିତ ବିଭିନ୍ନ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଓ ଲୋକ ସେଠାରେ ଫଶି ରହିଥିବାରୁ ସେମାନଙ୍କୁ ରେସକ୍ୟୁ କରାଯାଇଥିଲା । ତେବେ ଏହା ମଧ୍ୟରେ ଏହି ହିଂସାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।

ସିଏମଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଦେଖାଦେଇଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୨୩୧ ଜଣ ଆହତ ହୋଇଥିବା ବେଳେ ୧୭୦୦ଟି ଘର ଜଳି ପାଉଁଶ ହୋଇ ଯାଇଛି । ଏହାପୂର୍ବରୁ ମୃତ୍ୟୁସଂଖ୍ୟା ୫୪ ଓ ଆହତଙ୍କ ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଥିଲା । ପଥରମାଡ଼ ଓ ଅଗ୍ନିକାଣ୍ଡ ଭୟରେ ଲୋକମାନେ ବାଧ୍ୟ ହୋଇ ଘର ଭିତରେ ନିଜକୁ ବନ୍ଦ କରି ରଖୁଛନ୍ତି ।

ତେବେ ଏଭଳି ସ୍ଥିତିରେ ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ପେଟ୍ରୋଲ, ରାଶନ ଓ ଔଷଧ ଅଧିକ ରେଟରେ କିଣିବାକୁ ପଡ଼ୁଛି । ଲୋକମାନେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ସେହିପରି ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିମାନ ଯାତ୍ରା ମୂଲ୍ୟ ମଧ୍ୟ ବହୁତ ବଢ଼ିଯାଇଛି । ମଣିପୁରର ଇମ୍ଫାଲରୁ କୋଲକାତା ଫ୍ଲାଇଟ୍ ରେଟ୍ ୧୨ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ବଢ଼ିଯାଇଛି । ସେହିପରି ଇମ୍ଫାଲରୁ ଗ୍ୱାହାଟୀ ମଧ୍ୟରେ ବିମାନ ଯାତ୍ରା ଦର ୧୫ ହଜାର ବଢ଼ିଯାଇଛି ।

Get real time updates directly on you device, subscribe now.