fbpx

ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ, କେଏଲ ରାହୁଲଙ୍କ କଟିଲା ୧୫ ପ୍ରତିଶତ ମ୍ୟାଚ୍ ଫି

ନୂଆଦିଲ୍ଲୀ : ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବାରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଭାରତୀୟ ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲଙ୍କ ୧୫ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଭାବେ କାଟିଛି । ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ମଧ୍ୟରେ ୮୩ ରନର ଭାଗିଦାରୀ ହୋଇଥିଲା । ହେଲେ ୩୪ ତମ ଓଭରରେ ଜେମ୍ସ ଆଣ୍ଡରସନ ରାହୁଲଙ୍କୁ ବ୍ୟକ୍ତିଗତ ସ୍କୋର ୪୬ରନରେ ଆଉଟ୍ କରିଥିଲେ । ଆଣ୍ଡରସନଙ୍କ ବଲରେ ରାହୁଲଙ୍କ କ୍ୟାଚ୍ ଧରିଥିଲେ ୱିକେଟ୍ କିପର ଜୋନି ବେୟାରଷ୍ଟୋ । ହେଲେ ଅମ୍ପାୟର ଇଂଲଣ୍ଡ ଖେଳାଳିଙ୍କ ଅପିଲ୍ ନାକଚ କରି ଦେଇଥିଲେ । ଏହା ପରେ ଇଂଲଣ୍ଡ ଖେଳାଳି ଡିଆରଏସ ନେଇଥିଲେ ଏବଂ ତୃତୀୟ ଅମ୍ପାୟର ଲୋକେଶ ରାହୁଲଙ୍କୁ ଆଉଟ୍ ଘୋଷିତ କରିଥିଲେ । ଅମ୍ପାୟରଙ୍କ ନିଷ୍ପତ୍ତିରେ କେଏଲ ରାହୁଲ ଅସନ୍ତୋଷ ପ୍ରକାଶ କରିଥିଲେ ।

ଅମ୍ପାୟରଙ୍କ ଏହି ନିଷ୍ପତ୍ତିକୁ ସେହି ସମୟରେ କମେଣ୍ଟ୍ରି କରୁଥିବା ସୁନିଲ ଗାଭାସ୍କର ମଧ୍ୟ ନାପସନ୍ଦ କରିଥିଲେ । ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଡିଆରଏସ ନେବା ପରେ ତୃତୀୟ ଅମ୍ପାୟର ସ୍ନିକୋ ମିଟର ସାହାଯ୍ୟ ନେଇଥିଲେ । ଏଥିରେ ଦେଖିବାକୁ ମିଳିଥିଲା ଯେ, ଯେତେବେଳେ ବଲ୍ ରାହୁଲଙ୍କ ବ୍ୟାଟ୍ ନିକଟ ଦେଇ ଗତି କରିଥିଲା ସେହି ସମୟରେ ସ୍ନିକୋ ମିଟରରେ ରେଖା ଉପରକୁ ଉଠିଥିଲା । ଏହାକୁ ଆଧାର କରି ତୃତୀୟ ଅମ୍ପାୟର ତୁରନ୍ତ ରାହୁଲଙ୍କୁ ଆଉଟ୍ ଘୋଷିତ କରିଥିଲେ । ଏହା ପରେ କେଏଲ ରାହୁଲ ମୁଣ୍ଡ ହଲାଇ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତ ପ୍ରକାଶ କରି ପାଭିଲିୟନ ଫେରି ଯାଇଥିଲେ ।

 

ସୂଚନାଯୋଗ୍ୟ, ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ କରିଛି । ଦଳ ଅଦ୍ୟାବଧି ଘରୋଇ ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ କରିସାରିଛି । ଭାରତ ହାତରେ ଆହୁରି ୭ ୱିକେଟ୍ ରହିଛି । ଯଦି ଭାରତ ଆଜି ଦୁଇଟି ସେସନ ଖେଳିଦିଏ ତେବେ ଇଂଲଣ୍ଡଠୁ ପାଖାପାଖି ୩୦୦ ରନର ଅଗ୍ରଣୀ ହାସଲ କରି ପାରିବ । ଯାହା ଚତୁର୍ଥ ଇନିଂସରେ ପିଚ୍୍ ହିସାବରେ ବହୁତ ଭଲ ସ୍କୋର ହେବ । ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି ।

 

Get real time updates directly on you device, subscribe now.