fbpx
BJD SKY
BJD SKY

କେନ୍ଦ୍ର ଓ ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି? ଏହା କେତେ ସତ, ଜାଣନ୍ତୁ ୧୧ଟି ବଡ଼ ପଏଣ୍ଟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସାଧାରଣ ଭାବେ ରାଜ୍ୟରେ ପ୍ରତି ବର୍ଷ ଏକସଙ୍ଗେ ଉଭୟ ଲୋକସଭା ଓ ରାଜ୍ୟସଭା ହୋଇଥାଏ । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରରେ ବିଜେପି ସରକାର ମଧ୍ୟ ଦେଶରେ ଆଗୁଆ ଲୋକସଭା ନିର୍ବାଚନ ସପକ୍ଷରେ ରହିଥିବା କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଆଗୁଆ ନିର୍ବାଚନ ନେଇ କାହିଁକି ଚର୍ଚ୍ଚା ହେଉଛି? ଏହା ମଧ୍ୟରେ ୧୧ଟି ବଡ଼ ପଏଣ୍ଟ ସାମ୍ନାକୁ ଆସୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କିଛି ପଦକ୍ଷେପ ଆଗୁଆ ନିର୍ବାଚନକୁ ପରୋକ୍ଷ ଭାବେ ଇସାରା କରୁଛି ।

୧- ଆସନ୍ତା ୧୩ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡ଼ିଶା ଗସ୍ତ କରି ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ । ଏହାପରେ ଅକ୍ଟୋବର ମାସରେ ସମସ୍ତ ଇଭିଏମର ଯାଞ୍ଚ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

୨- ରାଜ୍ୟରେ ନିର୍ବାଚନ ପାଇଁ ପୂର୍ବରୁ ଆବଶ୍ୟକ ଇଭିଏମ୍ ପହଞ୍ଚି ସାରିଛି । ଏଥିସହିତ ଭୋଟର ତାଲିକା ସଂଶୋଧନ ନେଇ ରାଜ୍ୟର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

୩- ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ସରକାର ବିଧାନସଭା ଅଧିବେଶନ ଡାକିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଧାନସଭା ଭଙ୍ଗ କରିବାକୁ ଏହି ଅଧିବେଶନ ଡକାଯାଉଥିବା ନେଇ ବିଜେପି ଓ କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି ।

୪- ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିସାରିଛନ୍ତି, କରିବେ ଏପରି ଶୁଣିବାକୁ ମିଳୁଛି ।

୫- ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିର୍ବାଚନ ପାଇଁ ତିନି ଦଳ ପ୍ରସ୍ତୁତ ଥିବା କହିଥିବା ବେଳେ ୫ ମାସ ପୂର୍ବରୁ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି ।

୬- ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ରାଜ୍ୟ କ୍ୟାବିନେଟର ବୈଠକ ବସିଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ଅନୁମୋଦନ କରିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଜନତାଙ୍କ ପାଇଁ ବଡ଼ ଘୋଷଣା କରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।

୭- ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସେ ନବୀନଙ୍କ ସହିତ କିଛି ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ । ତେଣୁ ସେହି ଅବସରରେ ଏହି ଦୁଇ ଶୀର୍ଷ ନେତା କେଉଁ ପ୍ରସଙ୍ଗରେ ଆଲୋଚନା କରିଥିଲେ ତାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

୮- ଅନ୍ୟପକ୍ଷରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ ରାଜ୍ୟ ସରକାର ଆଗୁଆ ବିଧାନସଭା ନିର୍ବାଚନ କରାଇବାକୁ ଯୋଜନା କରୁଥିବା ବିରୋଧୀ ନେତାମାନେ ବୟାନ ଦେଇଛନ୍ତି ।

୯- ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଆଗୁଆ ନିର୍ବାଚନ ନେଇ କିଛିଟା ସଙ୍କେତ ଦେଇ ସାରିଛନ୍ତି । ଏ ବାବଦରେ କିଛି ବିଜେଡି ନେତା କହିଥିଲେ ।

୧୦- ରାଜ୍ୟ ସରକାର କାହିଁକି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ । ତେବେ ଆଗୁଆ ନିର୍ବାଚନ ନେଇ କୌଣସି ଯୋଜନା ନଥିବା ବିଜେଡିର କିଛି ନେତା ଜବାବ ରଖିଛନ୍ତି ।

୧୧- ସେହିପରି ଦେଶରେ ଆସନ୍ତା ଡିସେମ୍ବର ବା ଜାନୁଆରୀରେ ଆଗୁଆ ଲୋକସଭା ନିର୍ବାଚନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ହେଲିକପ୍ଟର ବୁକ୍ କରିସାରିଥିବା ମମତା କହିଛନ୍ତି ।

Get real time updates directly on you device, subscribe now.