fbpx

ନୟାଗଡ଼ର ଇଷ୍ଟଦେବ ଶ୍ରୀ ଲଡ଼ୁବାବା: ଜାଣନ୍ତୁ ମନ୍ଦିରର ଅପୂର୍ବ ରହସ୍ୟ, ଅଦ୍ଭୁତ ମହିମା

ନୟାଗଡ: ନୟାଗଡ଼ ଜିଲ୍ଲାରେ ଥିବା ଦ୍ୱାଦଶ ଶୈବ ପୀଠ ମଧ୍ୟରୁ ଶରଣକୂଳ ଲଡ଼ୁକେଶ ମହେଶ ବା ଲଡୁ ବାବାଙ୍କ ମନ୍ଦିର ହେଉଛି ଅନ୍ୟତମ । ଇତିହାସରୁ ଜଣାଯାଏ ରଣପୁରର ନରେନ୍ଦ୍ର ରାଜବଂଶୀ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ନିର୍ମାଣ ସମୟରେ ବାଣପୂର ରାଜା ଏହାର ନିର୍ମାଣ ପାଇଁ ସାହାଯ୍ୟ ସହଯୋଗ କରିଥିଲେ।

ଲଡ଼ୁବାବାଙ୍କ ମନ୍ଦିର ଏବଂ ଶିବଲିଙ୍ଗ ପ୍ରତିଷ୍ଠାର କଥା ଉଠିଲେ ଭିନ୍ନ ଭିନ୍ନ ଐତିହାସିକଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳେ। ଇତିହାସରୁ ଜଣାଯାଏ ଏହି ଅଞ୍ଚଳଟି ପ୍ରଥମେ ବାଣପୁର, ପରେ ଘୁମୁସର ଶେଷରେ ଏବଂ ଶେଷରେ ରଣପୁର ରାଜ୍ୟର ଅଂଶ ହୋଇଛି । ଘୁମୁସର ଭଞ୍ଜବଂଶୀ ରାଜା ମାନେ ପ୍ରଥମେ ମହେଶଙ୍କୁ ଏକ ଛାୟାମଣ୍ଡପରେ ପୂଜା କରୁଥିଲେ । ପରେ ଏହି ଅଞ୍ଚଳ ରଣପୁରର ଅଂଶ ହୋଇଛି । ଅର୍ଥାତ ରଣପୁର ନରେନ୍ଦ୍ର ରାଜବଂଶୀଙ୍କ ସମୟରେ ଏହି ମନ୍ଦିରର ନିର୍ମାଣ ହେବାର ଜଣାପଡେ । କିନ୍ତୁ ଲଡ଼ୁକେଶ ମହାଦେବଙ୍କୁ କୌଣସି ରାଜ୍ୟ ନିଜର ଇଷ୍ଟ ଦେବତା ରୂପେ ସ୍ଥାପିତ କରିନଥିଲେ ।

ପ୍ରାୟ ୧୫୦୦ ବର୍ଷ ତଳେ ଏହି ଅଞ୍ଚଳରେ ନକୁଳି ନାମକ କିଛି ଆଦିବାସୀ ଜାତି ଆଜକୁ ବାସ କରୁଥିଲେ ବୋଲି ଜଣାଯାଇଛି । ତାଙ୍କ ଦ୍ୱାରା ପୂଜିତ ଶିବଲିଙ୍ଗ ନକୂଳେଶ ଏବଂ କାଳକ୍ରମେ ଏହା ଲଡ଼ୁକେଶଙ୍କ ନାମରେ ପୂଜା ପାଉଛନ୍ତି ।

ଲଡ଼ୁବାବାଙ୍କ ଆବିର୍ଭାବ ପଛର ଲୋକକଥା ମଧ୍ୟ କୁବ ଅପୂର୍ବ ଏବଂ ହୃଦୟସ୍ପର୍ଶୀ । କପିଳା ନାମକ ଏକ ଗାଈ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ସ୍ତନରୁ କ୍ଷୀର ଝରାଇ ଘରକୁ ଫେରିଆସେ । କପିଳା ଏପରି ପ୍ରତିଦିନ କରିବାରୁ, ଗାଈର ମାଲିକ ଗଉଡ଼ ଆବଶ୍ୟକ ପରିମାଣର କ୍ଷୀର କିଏ ନେଉଛି ସନ୍ଦେହ କରିଥିଲେ । ତେବେ ଗାଈର ପିଛା କରି ଯାହା ଦେଖିଲେ, ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରି ନଥିଲେ । ଗାଇଟି ଭୂମି ସଂଲଗ୍ନ ଏକ କଳା ପ୍ରସ୍ତର ଉପରେ କ୍ଷୀର ଝରାଉଥିବା ଦେଖି ରାଗରେ ଗଉଡ଼ ପାଟିକରି ବାଡ଼ିଟି ଛାଡ଼ିଦେବାରୁ, ଗାଈ ଭୟରେ କ୍ଷିପ୍ର ବେଗରେ ପାଳାଇଯାଇଥିଲା ।ଏହି ସମୟରେ ତାର ପାଦ ଠାକୁରଙ୍କ ଲିଙ୍ଗ ଉପରେ ପଡି ରକ୍ତସ୍ରାବ ହେବାକୁ ଲାଗିଲା ।

ଗଉଡ଼ ଏହା ଦେଖି ଭୟରେ ଥରିବାକୁ ଆରମ୍ଭ କଲା । ଖବର ରାଜାଙ୍କ ଅଗୋଚର ହେବାପରେ ରାଜା ଆସି ଗୁହାରି ପଡିଲେ । ଏହାପରେ ଠାକୁରଙ୍କ ନିର୍ଦେଶ ଅନୁସାରେ ମନ୍ଦିରର ନିର୍ମାଣ କରାଇ ପ୍ରଭୁଙ୍କୁ ପ୍ରତିଷ୍ଠା କରାଇଥିଲେ ରାଜା । ତେବେ ସବୁଠୁ ଆଶ୍ଚର୍ୟ୍ୟକର ଘଟଣା ହେଉଛି ସେହି ଗାଈର ପାଦ ଚି଼ହ୍ନ ଆଜି ପର୍ୟ୍ୟନ୍ତ ଲିଙ୍ଗ ରୁପେୀ ପୂଜା ପାଉଥିବା ଲଡ଼ୁକେଶ ମହେଶଙ୍କ ମସ୍ତକରେ ଶୋଭା ପାଉଛି। ତେବେ ନୟାଗଡ଼ର ରାଜବଂଶୀ ମାନେ ଠାକୁରଙ୍କ ପାଇଁ ଅନେକ ଜମି ଭୋଗ ଖଞ୍ଜାଇଥିଲେ, ବେଢ଼ାରେ ଅନେକ ଦେବାଦେବୀ ମନ୍ଦିର ମଧ୍ୟ ନିର୍ମାଣ କରାଇଲେ । ଏହା ବ୍ୟତୀତ ସେବାୟତମାନଙ୍କ ପାଇଁ ଗ୍ରାମ ଏବଂ ବ୍ରାହ୍ମଣ ସେବାୟତଙ୍କ ପାଇଁ ଅନେକ ଶାସନ ବ୍ୟବସ୍ଥା କରିଥିଲେ ।

ଓଡ଼ିଶାର ଅନ୍ୟ ଶିବ ମନ୍ଦିରଗୁଡିକ ପରି ଏଠାରେ ମଧ୍ୟ ଠାକୁରଙ୍କ ଅନେକ ଯାନିଯାତ୍ରା ଅନୁଷ୍ଠିତ ହୁଏ । ସେଥିମଧ୍ୟରୁ ଜାଗର, ଅଶୋକାଷ୍ଟମୀ, ଚନ୍ଦନଯାତ୍ରା, ଶୀତଳଷଷ୍ଠୀ ଆଦି ମହା ଆଡ଼ମ୍ବରରେ ପାଳନ କରାଯାଏ । ମନ୍ଦିରର ଚାରି ପାଖରେ ମହାପ୍ରଭୁ ଜଗନ୍ନାଥ, ମାତା ପାର୍ବତୀ ଏବଂ ପ୍ରଭୁ ଗଣେଶ ମୂର୍ତ୍ତି ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କର ମୂର୍ତ୍ତି ଶୋଭା ପାଉଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିରକୁ କୌଣସି ଆଖିଦୃଶିଆ ଅନୁଦାନ ଆସିନଥିଲେ ମଧ୍ୟ ବାବାଙ୍କ ମହିମାରୁ ଦାତା ମାନଙ୍କ ଦାନରେ ମନ୍ଦିରର ଉନ୍ନତିକରଣ କାର୍ୟ୍ୟ ଚାଲୁ ରହିଛି। ଏହା ଓଡ଼ିଶାର ଏକ ପ୍ରମୁଖ ପର୍ୟ୍ୟଟନସ୍ଥଳୀର ଆଖ୍ୟା ପାଇଛି । ତେଣୁ ପର୍ୟ୍ୟଟନ ଋତୁରେ ଏବଂ ପର୍ବପର୍ବାଣୀ ସମୟରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ ।

Get real time updates directly on you device, subscribe now.