Govardhan Puja 2024: ନଭେମ୍ବର ୨ରେ ପାଳନ କରାଯିବ ଗୋବର୍ଦ୍ଧନ ପୂଜା, ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି ଜାଣନ୍ତୁ

ନୂଆଦିଲ୍ଲୀ: ଗୋବର୍ଦ୍ଧନ ପୂଜା ଭାରତର ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଦୀପାବଳି ପରଦିନ ଏହାକୁ ପାଳନ କରାଯାଏ । ଏହାକୁ ଅନ୍ନକୂଟ ପୂଜା ମଧ୍ୟ କୁହାଯାଇଥାଏ । ଏହାର ବିଶେଷ ମହତ୍ତ୍ୱ ରହିଛି । ବିଶେଷ କରି ଉତ୍ତର ଭାରତ ରାଜ୍ୟ ଯେପରିକି ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ଏହାକୁ ପାଳନ କରାଯାଏ । ଚଳିତ ବର୍ଷ ଗୋବର୍ଦ୍ଧନ ପୂଜା ନଭେମ୍ବର ୨ ଅର୍ଥାତ ଆସନ୍ତାକାଲି ପାଳନ କରାଯିବ । ଦୀପାବଳୀର ଦ୍ୱିତୀୟ ଦିନ କାର୍ତ୍ତିକ ଶୁକ୍ଲ ପ୍ରତିପଦା ତିଥିରେ ଅନ୍ନକୂଟ ଓ ଗୋବର୍ଦ୍ଧନ ପୂଜା କରାଯାଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଏହାକୁ ଆରମ୍ଭ କରିଥିବା ବେଳେ ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ । ଏହି ଦିନ ପ୍ରକୃତିର ଆଧାର ରୂପରେ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ ଓ ସମାଜର ଆଧାର ରୂପେ ଗାଈକୁ ପୂଜା କରାଯାଇଥାଏ । ଏହି ପୂଜା ବ୍ରଜରୁ ଆରମ୍ଭ ହୋଇଥିଲା ଓ ଧୀରେଧୀରେ ଭାରତରେ ତାହା ପ୍ରଚଳିତ ହୋଇଥିଲା । ଏହା ପଛରେ ଏକ କଥା ରହିଛି ଓ ଇନ୍ଦ୍ରଙ୍କ ପୂଜା ନକରି ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତର ପୂଜା କରିଥିଲେ । ଯେତେବେଳେ ବ୍ରଜ ଜଳମଗ୍ନ ହୋଇଥିଲା ସେତେବେଳେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଉଠାଇ ବ୍ରଜବାସୀଙ୍କୁ ରକ୍ଷା କରିଥିଲେ । ଏଥର ଅନ୍ନକୂଟ ଓ ଗୋବର୍ଦ୍ଧନ ପୂଜା ନଭେମ୍ବର ୨ ତାରିଖ ଶନିବାର ଦିନ ପାଳନ କରାଯିବ ।

ଗୋବର୍ଦ୍ଧନ ପୂଜାର ପ୍ରତିପଦା ତିଥିର ଶୁଭାରମ୍ଭ ନଭେମ୍ବର ୧ ଅଥାତ ଆଜି ସନ୍ଧ୍ୟା ୬ଟା ୧୬ ମିନିଟରେ ଆରମ୍ଭ ହୋଇଥିଲା ଓ ନଭେମ୍ବର ୨ ରାତି ୮ଟା ୨୧ ମିନିଟରେ ତାହା ସମାପ୍ତ ହେବ । ଉଦୟତିଧି ଅନୁସାରେ, ଏଥର ଗୋବର୍ଦ୍ଧନ ଓ ଅନ୍ନପୂଟ ଉତ୍ସବ ନଭେମ୍ବର ୨ରେ ପାଳନ କରାଯିବ । ଏକ ଶୁଭ ମୁହୂର୍ତ୍ତ ସକାଳ ୬.୨୪ ମିନିଟ ଠାରୁ ସକାଳ ୮.୪୬ ପର୍ଯ୍ୟନ୍ତ ରହିବ । ଦ୍ୱିତୀୟ ଶୁଭ ମୁହୂର୍ତ୍ତ ଦ୍ୱିପ୍ରହର ୩.୨୩ରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୫ ପର୍ଯ୍ୟନ୍ତ ରହିବ । ତୃତୀୟ ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫.୩୫ରୁ ଆରମ୍ଭ ହୋଇ ୬.୦୧ ପର୍ଯ୍ୟନ୍ତ ରହିବ । ଏହି ଦିନ ଶରୀରରେ ତେଲର ମାଲିସ କରି ସ୍ନାନ କରନ୍ତୁ ନାହିଁ । ଘରର ମୁଖ୍ୟ ଦ୍ୱାରରେ ଗୋବରରେ ଗୋବର୍ଦ୍ଧନ ପର୍ବତର ଆକୃତି ତିଆରି କରନ୍ତୁ । ଗୋବର୍ଦ୍ଧନ ପର୍ବତ ଓ ଭଗବାନ କୃଷ୍ଣଙ୍କ ପୂଜା କରନ୍ତୁ । ଏହିଦିନ ଯେଉଁମାନେ ଗୋବର୍ଦ୍ଧନ ପର୍ବନର ପ୍ରାର୍ଥନା କରନ୍ତି, ସେମାନଙ୍କର ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି ।