fbpx

ସରକାର ବଢ଼ାଇବାକୁ ଯାଉଛନ୍ତି GST: ଜାଣନ୍ତୁ କେଉଁ ସବୁ ସାମଗ୍ରୀ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ତେବେ ନିକଟରେ ତୈଳ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ଗୁଡସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ (ଜିଏସଟି) ମୂଲ୍ୟ ବୃଦ୍ଧି ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଜିଏସଟି ଫିଟମେଣ୍ଟ କମିଟି ପକ୍ଷରୁ ଜିଏସଟି ବୃଦ୍ଧି ନେଇ ପ୍ରସ୍ତାବ ରଖାଯାଇଥିବା ଜଣାପଡ଼ିଛି । ତେବେ ଯେଉଁ ସାମଗ୍ରୀରେ ୫ ପ୍ରତିଶତ ଜିଏସଟି ଲାଗିଥିଲା ତାହା ବୃଦ୍ଧି ପାଇ ୭ ପ୍ରତିଶତ ଓ ଯେଉଁଥିରେ ୧୮ ପ୍ରତିଶତ ଲାଗିଥିବା ତାହା ବୃଦ୍ଧିପାଇ ୨୦ ପ୍ରତିଶତ ହୋଇଯିବ ବୋଲି ଆଲୋଚନା ହେଉଛି ।

ସାଧାରଣତଃ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗିଥାଏ । ସେହିପରି ଅଧିକାଂଶ ଦ୍ରବ୍ୟ ଓ ସେବାଗୁଡ଼ିକ ୧୮ ପ୍ରତିଶତ ଜିଏସଟି ଅଧୀନରେ ଆସିଥାଏ । ଜିଏସଟି ଦର ବଢ଼ିଲେ ସରକାରଙ୍କୁ ୩ ଲକ୍ଷ କୋଟି ଟ୍ୟାକ୍ସ ମିଳିବ, ଯାହାକି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧା ଅଧା କରାଯିବ । ଏହି ଦରକୁ ନେଇ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲରୁ ହ୍ରାସ କରିଥିବା ଏକ୍ସାଇଜ୍ ଡ୍ୟୁଟି ଭରଣା କରିପାରିବେ । ଜିଏସଟିର ରେଟ ଷ୍ଟ୍ରକଚର ଓ ସ୍ଲାବ ରେସନଲାଇଜେସନ ଉପରେ ଆସନ୍ତା ୨୭ ତାରିଖରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ।

ତେବେ ସୁନା ଓ ରୁପା ଉପରେ ଜିଏସଟି ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଥିବାରୁ ଏହା ମହଙ୍ଗା ହୋଇପାରେ । ବର୍ତ୍ତମାନ ରେଡିମେଡ କପଡ଼ା ଓ ଜୋତା ଉପରେ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ଜିଏସଟି ବୃଦ୍ଧି କରାଯାଇଛି । ଯାହାକି ୨୦୨୨ ଜାନୁଆରେ ଲାଗୁହେବା ପରେ ଏହି ସାମଗ୍ରୀଗୁଡ଼ିକ ସହ କଞ୍ଚାମାଲ ମହଙ୍ଗା ହେବ । ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ହେବାର ପ୍ରଭାବ ପରିବହନ, ପନିପରିବା ଛଡ଼ା ଅନ୍ୟ କ୍ଷେତ୍ରରେ ପଡ଼ିବ ।

Get real time updates directly on you device, subscribe now.