fbpx

ନାରିନଙ୍କ ଅଲରାଉଣ୍ଡ ସଫଳତା: କୋହଲିଙ୍କ ଟାଇଟଲ ଆଶା ଅଧୁରା

ନୂଆଦିଲ୍ଳୀ: ସୁନୀଲ ନାରିନଙ୍କ ଅଲରାଉଣ୍ଡ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଦା ହୋଇଥିବା ବେଳେ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଟାଇଟଲ ଆଶା ଅଧୁରା ରହିଯାଇଛି । ୧୩୯ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ୬ ୱିକେଟ ହରାଇ ଦୁଇଟି ବଲ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସୁନୀଲ ନାରିନ ଅଲରାଉଣ୍ଡ ସଫଳତା ହାସଲ କରିବା ସହିତ ଦଳକୁ ବିଜୟୀ କରାଇଥିଲେ । କେକେଆର ପକ୍ଷରୁ ଶୁବମାନ ଗିଲ୍ ସର୍ବାଧିକ ୨୯ ରନ କରିଥିଲେ । ଅନ୍ୟତମ ଓପ୍ନର ଭେଙ୍କଟେଶ ଆୟର ମଧ୍ୟ ୨୬ ରନ୍ ସଂଗ୍ରହ କରିଥିଲେ । ୧୧ ତମ ଓଭରରେ ଆୟରଙ୍କୁ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ ସୁନୀଲ ନାରିନ ୧୫ ବଲରୁ ୨୬ ରନ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ପୂର୍ବରୁ ନାରିନଙ୍କ ୪ ୱିକେଟ ସଫଳତା କାରଣରୁ ଆରସିବି ମାତ୍ର ୧୩୮ରେ ସୀମିତ ରହିଥିଲା । ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ଦୁଇ ଓପ୍ନର ଭଲ ଆରମ୍ଭ ପାଇଥିଲେ । ଦେବଦତ୍ତ ପାଡିକଲ(୨୧) ଓ କୋହଲି (୩୯) ପ୍ରଥମ ୱିକେଟରେ ୪୯ ରନ ଯୋଡିଥିଲେ । ପାଡିକଲଙ୍କ ୱିକେଟ ପତନ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରି ପାରିନଥିଲେ । କୋହଲି ୩୩ ବଲ ଖେଳି ୫ ଚୌକା ସହିତ ୩୯ ରନ କରି ନାରିନଙ୍କ ଶିକାର ହୋଇଥିଲେ । ଗ୍ଲେନ ମ୍ୟାକ୍ସୱେଲ(୧୫), ଡିଭିଲିୟର୍ସ(୧୧) ଓ ଶାହବାଜ ଅହମଦ(୧୩) ପ୍ରମୁଖ ଭଲ ପ୍ରାରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୮ ରନ କରିଥିଲା । ନାରିନ ମାତ୍ର ୨୧ ରନ ବ୍ୟୟରେ ୪ଟି ଏବଂ ଲୋକି ଫର୍ଗୁସନ ୩୦ ରନରେ ଦୁଇଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.