କୁସୁମା ବିଳାସପୂର୍ଣ୍ଣ ବଙ୍ଗଳା ବେଆଇନ୍‌, ସୂଚନା ଦେଲେ ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ସ୍ଥିତ କୁସୁମା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା । ବର୍ତ୍ତମାନ କୁସୁମା ବଙ୍ଗଳା ବେଆଇନ୍ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏନେଇ ପ୍ରଶାସନ ଶୀଘ୍ର ପରିଚାଳନା ରୂପରେଖା ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି ।

ପୌରପାଳିକା ଜମିରେ କୁସୁମା ବଙ୍ଗଳା ବେଆଇନ୍ ଭାବେ ନିର୍ମିତ ହୋଇଛି । ଏହି ବଙ୍ଗଳା ସିଏସଆର୍ ପାଣ୍ଠିରେ ନିର୍ମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ବଙ୍ଗଳା ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା କିନ୍ତୁ ବିଳମ୍ବ ହୋଇଛି । ତେଣୁ ବର୍ତ୍ତମାନ କୁସୁମା ବଙ୍ଗଳାକୁ ହାତକୁ ନେବ ଜିଲ୍ଲା ପ୍ରଶାସନ । ଏହାର ପରିଚାଳନା ବ୍ୟବସ୍ଥା ମଧ୍ୟ ବୁଝିବ । ସାଧାରଣ ଲୋକମାନେ ଏହି ବଙ୍ଗଳାକୁ ବ୍ୟବହାର କରିବା ନେଇ ଏସଓପି ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । କହିରଖୁଛୁ କୁସୁମା ମଧ୍ୟରେ ନିର୍ମାଣ ୮ କୋଟି ଟଙ୍କାର ଆଲିଶାନ୍ ବଙ୍ଗଳା ସିଏସଆର ପାଣ୍ଠିରେ ନିର୍ମାଣ ହୋଇଛି ଏବଂ ତାହା ଯାଜପୁର ପୌରପାଳିକା ଜମିରେ ହୋଇଛି ହେଲେ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ତାହାର କୌଣସି ତଥ୍ୟ ନାହିଁ । ଏହା କ୍ରୀଡ଼ା ବିଭାଗ ଅଧୀନରେ ନାହଁ କି କ୍ରୀଡ଼ା ବିଭାଗ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ୨୦୧୮ ମାର୍ଚ୍ଚ ୨୫ରେ କୁସୁମା ଲୋକାର୍ପିତ ହୋଇଥିଲା । ଏହାର ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ଏବଂ ଭଳିକି ଭଳି ଚିତ୍ରକଳା ଲୋକମାନଙ୍କୁ ଆକୃଷ୍ଟ କରୁଥିଲା। ସେହିପରି, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଏଠାରେ ପ୍ରତିଦିନ ସଂଧ୍ୟାରେ ଲେଜର୍‌ ଲାଇଟ୍‌ ସୋ’ ହେଉଥିଲା । ଏଥିପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଏବେ ସେହି ବ୍ୟବସ୍ଥା ଖରାପ ହୋଇ ପଡ଼ିରହିଥିବା ସେଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନୋଟିସ୍‌ ଜରିଆରେ ଏହା ଅବଗତ କରାଯାଇଛି । ଏଥିସହ ଯାନ୍ତ୍ରିକ ତ୍ରୁଟି କାରଣରୁ ଜଳ ଫୁଆର ମଧ୍ୟ ବନ୍ଦ ରହିବ ବୋଲି ନୋଟିସ୍‌ ମରାଯାଇଛି । ତେବେ ପୌରପାଳିକା ଉପରେ ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଯାଜପୁର ବାସିନ୍ଦା କହିଛନ୍ତି । ଅପରପକ୍ଷରେ ପୌରପାଳିକା ଏବଂ କ୍ରୀଡା ବିଭାଗ ମଧ୍ୟରେ କେଉଁ ମଧୁଚନ୍ଦ୍ରିକା ଚାଲିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।