ତେହରାନ: ଇରାନରେ ପୁଣି ହିଜାବ ଚର୍ଚ୍ଚାରେ । ଜଣେ ମହିଳା ହିଜାବ ନ ପିନ୍ଧିବାରୁ ସୁରକ୍ଷା ବଳ ମହିଳାଙ୍କୁ ପ୍ରତାଡିତ କରିବା ପରେ ରାଗରେ ମହିଳା ନିଜ ସବୁ ବସ୍ତ୍ର ସର୍ବସମ୍ମୁଖରେ ଖୋଲି ବିରୋଧ ପ୍ରଦର୍ଶନ କରିଛନ୍ତି । ମହିଳାଙ୍କ ଏହି ବିରୋଧର ଭିଡିଓ ସାମ୍ନାକୁ ଆସିଛି ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।
ଇରାନ ତାର ରୁଢିବାଦୀ ଚିନ୍ତାଧାରା ପାଇଁ ଜଣାଶୁଣା । ମହିଳାଙ୍କ ହିଜାବ ଆଇନ ଆଜି ବି ଇରାନରେ ବଳବତ୍ତର । ତେବେ ମିଡିଆ ରିପୋର୍ଟ ମୁତାବକ, ଇସ୍ଲାମିକ ଆଜାଦ ୟୁନିଭର୍ସିଟି ପରିସରରେ ଜଣେ ମହିଳା ନିର୍ବସ୍ତ୍ର ହୋଇ ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ, ବିଶ୍ୱବିଦ୍ୟାଳୟକୁ ଆସିଥିବା ମହିଳା ହିଜାବ ପରିଧାନ କରିନଥିଲେ । ଏହାକୁ ନେଇ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ମହିଳାଙ୍କୁ ପ୍ରତାଡିତ କରିଥିଲେ । ତା ପରେ ମହିଳା ନିଜ ପୋଷାକ ଖୋଲି ବସିଥିଲେ କ୍ୟାମ୍ପସ ଭିତରେ ।
ତେବେ ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରବକ୍ତା ସୋସିଆଲ ମିଡିଆରେ କହିଛନ୍ତି କି, ଏହି ମହିଳା ମାନସିକ ରୋଗଗ୍ରସ୍ତ । ସେ ସମ୍ପୂର୍ଣ୍ଣ ରୂପେ ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତେଣୁ ନିଜ ଅଜାଣତରେ ଏଭଳି ଏକ କାଣ୍ଡ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ କହିବା କଥା, ମହିଳା ଜାଣିଶୁଣି ଏପରି କରିଛନ୍ତି ।
ତେବେ ଏହା ପୂର୍ବରୁ ମଧ୍ୟ ହିଜାବକୁ ନେଇ ଇରାନରେ ବହୁ ହଙ୍ଗାମା ହୋଇଛି । ଏହି ହିଜାବ ପାଇଁ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ହିଜାବ ନ ପିନ୍ଧିବା ପାଇଁ ଅନେକ ସମୟରେ ମହିଳାଙ୍କ ଉପରେ ଇରାନ ପୋଲିସ ଦ୍ୱାରା ଅକଥନୀୟ ନିର୍ଯାତନାର ମାମଲା ମଧ୍ୟ ସାମ୍ନାକୁ ଆସିଛି ।