fbpx

ଲକ୍ଷ୍ମୀପୁର କାଣ୍ଡ: ପୋଲିସ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ଲକ୍ଷ୍ମୀପୁର ଖେରି : ଲକ୍ଷ୍ମୀପୁର ଖେରି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ସମ୍ମୁଖରେ ହାଜର ହେବା ପରେ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ପୋଲିସ ଦ୍ୱାରା ଆଶିଷଙ୍କୁ ପଚରା ଉଚୁରା ଆରମ୍ଭ ହେବା ମାତ୍ରେ ଶନିବାର ନିଜର ଅନଶନ ସମାପ୍ତ କରିଛନ୍ତି ସିଦ୍ଧୁ । ଆଶିଷଙ୍କ ଗିରଫଦାରୀ ଦାବିରେ ସିଦ୍ଧୁ ଅକ୍ଟୋବର ୩ରେ ହିଂସାରେ ପ୍ରାଣ ହରାଇଥିବା ଦିବଙ୍ଗତ ସାମ୍ବାଦିକ ରମନ କଶ୍ୟପଙ୍କ ଲକ୍ଷ୍ମୀପୁର ବାସଭବନରେ ଶୁକ୍ରବାରଠୁ ମୌନ ଧାରଣା ଦେଇଥିଲେ ।

ତିକୁନିଆ କାଣ୍ଡକୁ ନେଇ ଖେରି ପହଞ୍ଚିଥିବା ସିଦ୍ଧୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗିରଫଦାରୀ ପର୍ଯ୍ୟନ୍ତ ମୌନ ଧାରଣା ଦେଇଥିଲେ । ପ୍ରଥମେ ସେ କିଛି ସମୟ ବସି ରହିଥିଲେ ଏବଂ ପରେ ଶୋଇ ରହିଲେ । ସିଦ୍ଧୁଙ୍କୁ ମନାଇବା ପାଇଁ ଅନେକ ଅଫିସର ଲାଗିଥିଲେ । ସେ ଘୋଷଣା କରିଥିଲେ ଯେ ପର୍ଯ୍ୟନ୍ତ ଆଶିଷ ମିଶ୍ରଙ୍କ ଗିରଫଦାରୀ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ । ଏହା ଶୁଣି ସେଠାରେ ନିୟୋଜିତ ଅଫିସରଙ୍କ ଅକଲ ଗୁଡୁମ ହୋଇ ଯାଇଥିଲା ।

ଘଟଣାସ୍ଥଳରେ ଥିବା ଲଖନଉ ଆଇପିଏସ ଅଫିସର ସୁନିଲ କୁମାର ସିଂହ, ଗୋଲା ଏସଡିଏମ ଅଖିଳେଶ ଯାଦବ ଓ ନିଘାସନ ଏସଡିଏମ ଓମପ୍ରକାଶ ଗୁପ୍ତା ସିଦ୍ଧୁଙ୍କୁ ମନାଇବା ପାଇଁ ବହୁ ଚେଷ୍ଟା କରିଥିଲେ । ହେଲେ ସିଦ୍ଧୁ ନିଜ ଜିଦରେ ଅଟଳ ଥିଲେ । ଦିବଙ୍ଗତ ସାମ୍ବାଦିକ ରମନ କଶ୍ୟପଙ୍କ ପରିବାର ଲୋକେ ବିଛଣା ବିଛାଇ ପଙ୍ଖା ଲଗାଇ ଦେଇଥିଲେ । ତାଙ୍କର ବାକି ସାଥୀ ଚୌକି ପକାଇ ସେଠାରେ ଡେରା ପକାଇଥିଲେ । ପ୍ରାୟ ସାଢେ ଛଅଟାରେ ସିଡିଓ ଅନିଲ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଆଜି ଆଶିଷ ସିଂହ ପୋଲିସ ସାମ୍ନାରେ ହାଜର ହେବା ଏବଂ ତାଙ୍କର ଜେରା ଆରମ୍ଭ ହେବା ମାତ୍ରେ ସିଦ୍ଧୁ ଅନଶନ ଭାଙ୍ଗିଥିଲେ ।

 

Get real time updates directly on you device, subscribe now.