fbpx

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କ ଆଉ ତିନି ସାଥୀ ଗିରଫ, ଘଟଣା ଦିନ ଥିଲେ ସାଙ୍ଗରେ

ଲକ୍ଷ୍ମୀପୁର ଖେରୀ : ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ ଆସୁଥିବା ସ୍କର୍ପିଅରେ ଥିଲେ । ଏହି ତିନି ଅଭିଯୁକ୍ତ ହେଉଛନ୍ତି ମୋହିତ ତ୍ରିବେଦୀ, ଧର୍ମେନ୍ଦ୍ର ସିଂହ ଓ ରିଙ୍କୁ ରାଣା । ଏହି ତିନି ଜଣ ଆଶିଷ ମିଶ୍ରଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି । ଏଥିସହ ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରି ସାରିଲାଣି ।

ଏହାର ଗୋଟିଏ ଦିନ ପୂର୍ବେ ଅର୍ଥାତ ଶୁକ୍ରବାର ପୋଲିସ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର, ଲଖନଉର ବ୍ୟବସାୟୀ ଅଙ୍କିତ ଦାସ, ଗନର ଲତିଫ, ଡ୍ରାଇଭର ଶେଖର ଭାରତୀ, ବିଜେପି ନେତା ସମିତ୍ ଜୟସୱାଲ, ସତ୍ୟମ ତ୍ରିପାଠୀ, ଶିଶୁପାଲ ଏବଂ ନନ୍ଦନଙ୍କୁ ଜେଲରୁ ରିମାଣ୍ଡରେ ନେଇଛି । ରାତିସାରା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚୁରା କରିଛି.

ଯାଞ୍ଚ କମିଟି ଅନୁଯାୟୀ, ଜେରା ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ଥିବା ଆଉ ତିନି ଜଣଙ୍କ ନାଁ କହିଥିଲେ । ଏହି ଆଧାରେ ପୋଲିସ ଆଜି ଅନ୍ୟ ତିନି ଅଭିଯୁକ୍ତ ମୋହିତ ତ୍ରିବେଦୀ, ଧର୍ମେନ୍ଦ୍ର ସିଂହ ଓ ରିଙ୍କୁ ରାଣାଙ୍କୁ ଗିରଫ କରିଛି । ଏମାନଙ୍କୁ ଆଜି ଅଦାଲତରେ ହାଜର କରାଯିବ । ପୋଲିସ ଏହି ତିନି ଜଣଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିବ ।

Get real time updates directly on you device, subscribe now.