ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା

ଶିମଲା,(ଭାସ୍କର ନ୍ୟୁଜ୍): ହିମାଚଳ ପ୍ରଦେଶ କିନୌର ଜିଲ୍ଲା ନିଚାର ତହସିଲ ଅନ୍ତର୍ଗତ ନିଗଲସୁରୀର ୫ ନଂ ଜାତୀୟ ରାଜପଥ ଉପରେ ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଅଚାନକ ଭୂସ୍ଖଳନ ଫଳରେ ହିମାଚଳ ପଥ ପରିବହନ ନିଗମ (ଏଚ୍‌ଆର୍‌ଟିସି)ର ଏକ ବସ୍‌, ଏକ ଟ୍ରକ୍‌ ଓ କାର୍‌ ସମେତ ଅନେକ ଗାଡ଼ି ମାଡ଼ି ତଳେ ଚାପି ହୋଇଯାଇଛି । ପାହାଡ଼ରୁ ମାଟି ଅତଡ଼ା ଧସି ଘାଟି ରାସ୍ତା ଉପରକୁ ଆସିଯିବା ଫଳରେ ଏପରି ଘଟଣା ଘଟିଛି । ଏହି ଘଟଣାରେ ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହୁରି ୧୭ରୁ ଊଦ୍ଧ୍ୱର୍ ବ୍ୟକ୍ତି ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌, ପୋଲିସ ସମେତ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି ।ଏଚ୍‌ଆର୍‌ଟିସିର କିନୌର ହରିଦ୍ବାର ରୁଟ୍‌ରେ ଯାଉଥିବା ଏହି ବସ୍‌ରେ କେତେକ ଯାତ୍ରୀ ଥିଲେ । ତାହା ଜଣାପଡି ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକବ୍ୟକ୍ତ କରିବା ସହ  ଦୁଃଖଦ ଘଟଣାକୁ ନେଇ ରାଜ୍ୟର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଫୋନ୍‌ ଯୋଗେ କଥା ହେବା ସହ ଦୁର୍ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥି ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବି ହିମାଚଳ ପ୍ରଦେଶ ସରକାରଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅନ୍ୟ ଉଦ୍ଧାର ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।