fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଭାଷା ଲ୍ୟାବ’: ଅନଲାଇନରେ ଯୋଡ଼ିହେବ ଜନଜାତି ଭାଷା, ସାହିତ୍ୟ ଓ ସଂସ୍କୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଜନଜାତିଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅନଲାଇନ ସହିତ ଯୋଡ଼ାଯିବ । ସେଥିପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ‘ଭାଷା ଲ୍ୟାବ’ ପ୍ରତିଷ୍ଠା କରାଯିବ ।

ସୂଚନା ମୁତାବକ, ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳି-ଓଡ଼ିଆ-ଇଂରାଜୀ ଶବ୍ଦକୋଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଲୋକାର୍ପଣ କରିଛନ୍ତି । ଜନଜାତିଙ୍କ ବିକାଶ ପାଇଁ ପ୍ରତି ଜିଲ୍ଲାରେ ‘ଭାଷା ଲ୍ୟାବ’ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ଜନଜାତିଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶିଷ୍ଟ ସାନ୍ତାଳା ଭାଷାବିତ ଚୈତନ୍ୟ ପ୍ରସାଦ ମାଝୀ ଏହି ଶବ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି । ସାନ୍ତାଳି ଭାଷା ସମ୍ବିଧାନର ୮ମ ପରିଚ୍ଛେଦରେ ଏହା ସ୍ଥାନିତ ହୋଇଛି । ସାନ୍ତାଳି ସହିତ ଅନ୍ୟ ଜନଜାତି ଭାଷାର ଶବ୍ଦକୋଷ ପ୍ରକାଶନ ନେଇ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏହି ଅବସରରେ ବିଭିନ୍ନ ଜନଜାତି ଭାଷାରେ ପ୍ରାଥମିକ ଶିକ୍ଷାର ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ, ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ଶାସନ ସଚିବ ରୂପା ରୋଶନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.