fbpx
BSKY
BJD SHG SKY
BJD MC SKY

ମୋରବି ଦୁଃଖଦ ଘଟଣାରେ କ୍ଷୁବ୍ଧ ବାର ଆସୋସିଏସନ, କୌଣସି ଓକିଲ ଲଢିବେ ନାହିଁ ଅଭିଯୁକ୍ତଙ୍କ କେସ୍

ଅହମ୍ମଦାବାଦ: ମୋରବି ଦୁଃଖଦ ଘଟଣାରେ କ୍ଷୁବ୍ଧ ବାର ଆସୋସିଏସନ। କୌଣସି ଓକିଲ ୯ ଜଣ ଅଭିଯୁକ୍ତଙ୍କ କେସ୍ ଲଢିବେ ନାହିଁ। ମୋରବି ବାର ଆସୋସିଏସନ ଏବଂ ରାଜକୋଟ ବାର ଆସୋସିଏସନ ଏମିତି ନିଷ୍ପତ୍ତି ନେଇଛନ୍ତି। ମୋରବି ବାର ଆସୋସିଏସନର ବରିଷ୍ଠ ଓକିଲ ଏସି ପ୍ରଜାପତି କହିଛନ୍ତି, ଦୁଇ ବାର ଆସୋସିଏସନ ଏହି ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ମାମଲା ଲଢିବେ ନାହିଁ କି ସେମାନଙ୍କର ପ୍ରତିନିଧି ହେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଦୁଇ ବାର ଆସୋସିଏସନ ଏହି ସମ୍ବନ୍ଧରେ ପ୍ରସ୍ତାବ ମଧ୍ୟ ପାରିତ କରିଛନ୍ତି। ମୋରବିର ଏକ ମାଜିଷ୍ଟ୍ରେଟ୍ ଅଦାଲତ ମାମଲାରେ ଗିରଫ ନଅ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କୁ ପୋଲିସ ହେପାଜତରେ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ମୋରବି ସେତୁ ଭାଙ୍ଗିବା ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଗୁଜରାଟରେ ବୁଧବାର ରାଜ୍ୟବ୍ୟାପୀ ଶୋକ ରଖାଯାଇଛି। ଅଧିକାରୀ କହିଛନ୍ତି, ବୁଧବାର ପତାକା ଅର୍ଦ୍ଧନମିତ ରହିଛି। ସରକାର ଅଧିକାରୀଙ୍କୁ କୌଣସି ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟବ୍ୟାପୀ ଶୋକ ରଖିବାକୁ ନିର୍ଣ୍ଣୟ ନିଆଯାଇଥିଲା।

ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୩୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ଏବଂ ମୋରବି ସିଭିଲ ହସ୍ପିଟାଲ୍ ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏହା ବ୍ୟତୀତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ, ଦୁଃଖର ଏହି ସମୟରେ ପ୍ରଭାବିତ ପରିବାରଙ୍କୁ ଯଥା ସମ୍ଭବ ସହାୟତା ଦିଆଯାଉ।

ଏହା ମଧ୍ୟରେ ମୋରବି ଝୁଲାସେତୁ ଭାଙ୍ଗିବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିବାକୁ ନଭେମ୍ବର ୧୪ ତାରିଖ ଧାର୍ଯ୍ୟ କରିଛନ୍ତି। ମୋରବି ଦୁର୍ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ ଆୟୋଗ ଗଠନ କରିବାକୁ ଦାୟର ଜନସ୍ଵାର୍ଥ ଆବେଦନରେ ଦାବି କରାଯାଇଛି।

Get real time updates directly on you device, subscribe now.