fbpx

ଏହି ମନ୍ଦିରରେ ଖାଇବା ପାଇଁ ପଡ଼େନି ପତ୍ର: ମାଟି ଉପରେ ପ୍ରସାଦ ସେବନ କରନ୍ତି ଭକ୍ତ, ଜାଣନ୍ତୁ କାହିଁକି?

Advertisement

ନୂଆଦିଲ୍ଲୀ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଭରପୂର ହୋଇ ରହିଛି ଆମ ଦେଶ ଭାରତ । ସମସ୍ତ ମନ୍ଦିରରେ ଥିବା କିଛି ନା କିଛି ପରମ୍ପରା ଏବଂ ସଂସ୍କୃତି ପାଇଁ ଭାରତ ଆଜି ବିଦେଶରେ ମଧ୍ୟ ପୂଜ୍ୟ ହୋଇ ରହିଛି । ସେହିଭଳି ଏକ ମନ୍ଦିର ହେଉଛି ଦକ୍ଷିଣ ଭାରତର ଏକ ମନ୍ଦିର । ଯେଉଁଠି ଖାଦ୍ୟ ବା ପ୍ରସାଦ ସେବନ ପାଇଁ କୌଣସି ପତ୍ର ପଡ଼େନାହିଁ । ଭକ୍ତମାନେ ଏଠାରେ ତଳେ ବା ଚଟାଣରେ ହିଁ ପ୍ରସାଦ ବାଢି ଖାଇଥାନ୍ତି । ଏଭଳି ଏକ ପରମ୍ପରା ପାଇଁ ଏହି ମନ୍ଦିର ଖୁବ ପ୍ରସିଦ୍ଧ ହୋଇପାରିଛି ।

ଦକ୍ଷିଣ ଭାରତର ପଶ୍ଚିମ ତଟ ଉଡ୍ଡପୀରେ ଅବସ୍ଥିତ ଶ୍ରୀକୃଷ୍ଣ ମଠ । ଏହାବ୍ୟତୀତ ଏହାକୁ ମନଦିରର ଭୂମି ବା ପରଶୁରାମ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ ଏବଂ ଏଠାରେ ପ୍ରାଚୀନ ଚନ୍ଦ୍ରମୌଲୀଶ୍ୱର ଓ ଅନନ୍ତେଶ୍ୱର ମନ୍ଦିର ମଧ୍ୟ ଉପସ୍ଥିତ ରହିଛି । ତେବେ ଏହି ମନ୍ଦିରରେ ଭକ୍ତମାନେ ତଳେ ବସି ଚଟାଣରେ ପ୍ରସାଦ ସେବନ କରିବାର ପରମ୍ପରା ରହିଥିବା ଦେଖାଯାଇଛି । ଶ୍ରଦ୍ଧାଳୁମାନେ ନିଜ ତରଫରୁ ଏଭଳି ଦାବି କରିଥାନ୍ତି । କୌଣସି ମନୋସ୍କାମନା ପୂରଣ ହେବା ପରେ ଶ୍ରଦ୍ଧାଳୁ ଏଠାରେ ତଳେ ଖାଦ୍ୟ ପରସି ଖାଇଥାନ୍ତି ବୋଲି କୁହାଯାଇଛି । ଏହି ପ୍ରସାଦକୁ ପ୍ରସାଦମ୍ ବା ନୈବେଦ୍ୟମ୍ ବୋଲି ମଧ୍ୟ କୁହାଯାଏ । ମନ୍ଦିରର ଏହି ଚଟାଣକୁ କଳା କାଡ୍ଡପ୍ପା ପଥରରେ ନିର୍ମାଣ କରାଯାଇଛି । ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ମନ୍ଦିରର ଚାରିପାଖରେ ୮ଟି ମଠ ରହିଛି । ଏହି ମଠଗୁଡ଼ିକ ଜଣକ ପରେ ଜଣେ ମନ୍ଦିରର ରକ୍ଷଣାବେକ୍ଷଣ କରିଥାନ୍ତି ।

ନିକଟରେ ଶ୍ରକୃଷ୍ଣ ମଠକୁ ଆସୁଥିବା ପୁରୁଷ ତଥା ମହିଳା ଭକ୍ତମାନଙ୍କ ପାଇଁ ନୂଆ ନିୟମ କରାଯାଇଛି । ମହିଳାମାନେ ଏଠାକୁ ଆସିଲେ ଶାଢୀ ବା ସାଲୱାର କମିଜ୍ ପିନ୍ଧି ଆସିବେ ଏବଂ ପୁରୁଷମାନଙ୍କ ପାଇଁ ଧୋତୀ ବାଧ୍ୟତାମୂଳକ କରାଯାଇଛି । ମନ୍ଦିରର ପ୍ରବେଶ ଦ୍ୱାର ପୂର୍ବରୁ ଏକ ବିଶାଳ ଗୋପୁରମ ଝରକା ଦେଖାଯାଏ । ଏହା ବାସ୍ତୁକଳାର ଦ୍ରାବିଡ଼ ଶୈଳୀରେ ପ୍ରସ୍ତୁତ କରାଯାଇଛି । ଏହି ଝରକା ମାଧ୍ୟମରେ ସିଧାସଳଖ ଭଗବାନଙ୍କ ଦର୍ଶନ କରିପାରିବେ ଭକ୍ତ ।

କୁହାଯାଏ ଯେ, ଶ୍ରୀକୃଷ୍ଣଙ୍କ ପ୍ରକୃତ ଭକ୍ତ କନକଦାସ ଏହି ମନ୍ଦିରକୁ ଆସିଥିବା ବେଳେ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା । ଏହାପରେ ସେ ଠାକୁରଙ୍କୁ ପ୍ରାର୍ଥନା କରିବାରୁ ଶ୍ରୀକୃଷ୍ଣ ତାଙ୍କ ଆଡ଼କୁ ବୁଲି ଯାଇଥିବା କୁହାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଏହି ଝରକା ବାଟ ଦେଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି ।

Get real time updates directly on you device, subscribe now.