fbpx

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ୮ଟି କାର୍ଯ୍ୟ ଦିବସ, ଆସିବ ୧୨ଟି ବିଲ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ପୂର୍ବରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଛି । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛନ୍ତି । ସେହିପରି ବିରୋଧୀଙ୍କ ସବୁ ପ୍ରଶ୍ନର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ କହିଛି ।

ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡର ଓ ବିର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସି /ଏସ୍‌ଇବିସି ସଂରକ୍ଷଣ, ପଶ୍ଚିମ ଓଡିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦିକୁ ପ୍ରସଙ୍ଗ କରିବେ କଂଗ୍ରେସ ଓ ବିଜେପି । ସେହିପରି ବିରୋଧୀ ଯେଉଁ ଯେଉଁ ପ୍ରସଙ୍ଗ ଆଣିବେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ଏବଂ ଆମ ପାଖରେ ମଧ୍ୟ କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଅଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଗୃହରେ ରୁରାଲ ହାଉସିଂ ଏବଂ ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଇବ ବିଜେଡି । ଧାନର ସ୍ୱର୍ନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ କମିଟି ସୁାରିଶ ଲାଗୁ କରିବା ପାଇଁ ଗୃହରେ ଦାବି କରିବୁ । ୧୨ଟି ବିଲ୍‌ ଚଳିତ ବିଧାନସଭାରେ ଆସିବ । ଗୃହ ଚାଲୁଥିବା ସମୟରେ ଆହୁରି ବିଲ୍‌ ମଧ୍ୟ ଆସିବାର ସମ୍ଭାବନା ରହିଛି । ବୁଧବାରଠାରୁ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସେଥିମଧ୍ୟରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍‌ ମେମ୍ବର୍ସ ବିଜିନେସ୍‌ ପାଇଁ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଦିନ ଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ ।

ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୩୦ ମିନିଟ୍‌ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ । ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ ଏବଂ ସେଥିାଇଁ ୯୦ ମିନିଟ୍‌ ସମୟସୀମା ନିର୍ଦ୍ଧାରିତ କରାଯାଇଛି । ଭାରତୀୟ ଜନତା ଦଳ ବିଧାୟକମାନେ ସପ୍ତାହର ୦୪ ଦିନ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳ ବିଧାୟକ ମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ । ଯଦି ନିର୍ଦ୍ଧାରିତ ଦିବସରେ କୌଣସି କାରଣ ଯୋଗୁଁ ତାହା ଆଗତ ହୋଇନ ପାରିଲା, ତାହା ହେଲେ ସମ୍ପୃକ୍ତ ଦଳ ସେ ସୁଯୋଗ ହରାଇବେ । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିରାପଦ ଦୂରତ୍ୱ ରକ୍ଷା କରି ବିଧାନସଭା ଭବନ, ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରିରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଆଲୋଚନାରେ ଅଂଶ ଗ୍ରହଣ କରିାରିବେ । ଅତ୍ୟନ୍ତ ଆବଶ୍ୟକ ବ୍ୟତୀତ ଅନ୍ୟ ବିଧାୟକମାନଙ୍କୁ ଗୃହରେ ରିପୋର୍ଟ, ବିବରଣୀ ପ୍ରଦାନ କରାଯିବ ନାହିଁ । ବିଧେୟକ ସଂଶୋଧନ ବିଲ୍‌ ମନ୍ତ୍ରୀମାନଙ୍କ ଉତର ବିଧାୟକମାନଙ୍କ ଅବଗତି ପାଇଁ ସେମାନଙ୍କବାସଭବନରେ ଯୋଗାଇ ଦିଆଯିବ ।

ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସଦସ୍ୟ , ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ ,ଅଧିକାରୀ ଓ ସାମ୍ବାଦିକ ମାନଙ୍କର ଆରଟିିସିଆର ଟେଷ୍ଟ କରାଯାଇଛି । ମନ୍ତ୍ରୀ ଓ ବିଧାୟକମାନଙ୍କର କୋଭିଡ୍‌ ସହ ଆଣ୍ଟିବଡି ମଧ୍ୟ ପରୀକ୍ଷା କରାଯାଇଛି । କୋଭିଡ୍‌ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ଯେଉଁମାନେ ଥରେ ହେଲେ କୋଭିଡ ଟିକା ନେଇନାହାଁନ୍ତି ସେମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ସେହିରି ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

Get real time updates directly on you device, subscribe now.